୧୧୦ ଆସନରେ ଭୋଟ ପାଇଁ ଉଡିବ ଟଙ୍କା
୧୧୦ ଆସନରେ ଭୋଟ ପାଇଁ ଉଡିବ ଟଙ୍କା
admin
Mar 28, 2019 - 07:23
Updated: Mar 28, 2019 - 07:23
ନୂଆଦିଲ୍ଲୀ: ଦେଶର ୫୪୩ ଲୋକସଭା ଆସନ ମଧ୍ୟରୁ ବର୍ତମାନ ସୁଦ୍ଧା ୧୧୦ଟି ଏଭଳି ଆସନ ଚିହ୍ନଟ କରାଯାଇଛି, ଯେଉଁଠାରେ ଅର୍ଥବଳର ସବୁଠାରୁ ଅଧିକ ପ୍ରଭାବ ରହିଛି । ବିଭିନ୍ନ ରାଜ୍ୟରୁ ଏ ବିଷୟରେ ଅଧିକ ସୂଚନା ମିଳିବାରେ ଲାଗିଛି । ତେଣୁ କୁହାଯାଉଛି କି ଏହି ଆସନ ସଂଖ୍ୟା ୧୫୦ ଛୁଇଁବ । ତେବେ ଏହି ଅର୍ଥବଳକୁ ରୋକିବା ଉଦ୍ଦ୍ୟଶରେ କମିଶନ ସେହିସବୁ ଆସନକୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନଙ୍କୁ ପଠାଇଛନ୍ତି । ତା ଛଡା ମଲ୍ଟି ଡିପାର୍ଟମେଂଟ ଇଲେକ୍ସନ ଇଂଟେଲିଜେନ୍ସ କମିଟି ମଧ୍ୟ ଏହିସବୁ ଆସନ ଉପରେ କଡା ନଜର ରଖିଛି । ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଯେଉଳି ଅର୍ଥବଳର ବ୍ୟବହାର କରା ନଯାଏ ତାହା ସୁନିଶ୍ଚିତ କରିବା ଲାଗି ଏହି ପର୍ଯ୍ୟବେକ୍ଷକମାନେ ସମ୍ପୃକ୍ତ ରାଜ୍ୟର ବିଭିନ୍ନ ସଂସ୍ଥାସହିତ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ଅର୍ଥବଳ ପ୍ରଭାବ ଥିବା ସବୁଠାରୁ ଅଧିକ ଆସନ ତାମିଲନାଡୁ ଓ ଗୁଜୁରାଟରେ ରହିଛି ।
ଏହି ଧରଣର ଆସନ ତାମିଲନାଡୁରେ ୩୯ଟି ଥିବା ବେଳେ ଗୁଜୁରାଟରେ ୨୮, ବିହାରରେ୨୧, ତେଲଙ୍ଗାନାରେ ୧୬ ଓ ଆନ୍ଧ୍ରପ୍ରଦେଶରେ ୧୬ଟି ଆସନ ରହିଛି । ସେହିଭଳି ଝାଡଖଣ୍ଡରେ ମଧ୍ୟ ଏଭଳି ଦୁଇଟି ଆସନକୁ କମିଶନ ଚିହ୍ନଟ କରିଛନ୍ତି । ତେବେ ଉତରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର,ଆସମ,କେରଳ,ତ୍ରିପୁରା,ଓଡିଶା ଏବଂ କେନ୍ଦ୍ରଶାସିତ ଅଂଚଳ ଦିଲ୍ଲୀ, ଚଣ୍ଡିଗଡ, ଆଣ୍ଡାମାନ ଓ ନିକୋବର,ଦାଦ୍ରା ଓ ନଗରହାବେଳି,ଡାମନ ଓ ଡିଉ ଭଳି ଅଂଚଳରୁ ଏଭଳି ଅର୍ଥବଳ ପ୍ରଭାବ ରହିଥିବା ଲୋକସଭା ଆସନ ସମ୍ପର୍କରେ ସବିଶେଷ ତଥ୍ୟ କମିଶନଙ୍କୁ ମିଳିନଥିବା ଜଣାପଡିଛି । ଆଗାମୀ ଲୋକସଭା ନିର୍ବାଚନରେ ଅର୍ଥବଳକୁ ରୋକିବା କମିଶନଙ୍କ ପାଇଁ ସବୁଠାରୁ ବଡ ଚାଲେଞ୍ଜ ହୋଇଛି । ୨୦୧୪ରେ କମିଶନ ଦେଶର ବିଭିନ୍ନ ରାଜ୍ୟରୁ ନଗଦ ୩୦୦ କୋଟି ଟଙ୍କା ୧୨୦୦ କୋଟି ଟଙ୍କାର ବିଭିନ୍ନ ସାମାଗ୍ରୀ ଜବତ କରିଥିଲେ ।