ସମଲିଙ୍ଗୀ ସମ୍ପର୍କ ଏକ ପ୍ରକାର ବ୍ୟାଧି : ଆରଏସଏସ୍‌

ସମଲିଙ୍ଗୀ ସମ୍ପର୍କ ଏକ ପ୍ରକାର ବ୍ୟାଧି : ଆରଏସଏସ୍‌

ନୂଆଦିଲ୍ଲୀ : ଦେଶରେ ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ରାଷ୍ଟୀୟ ସ୍ବଂୟ ସେବକ ସଂଘ(ଆରଏସଏସ୍‌)ର ମହିଳା ସଂଗଠନ ଦାବି କରି କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କ ଏକ ପ୍ରକାର ବ୍ୟାଧି। ଯଦି ଏପରି ବିବାହକୁ ଆଇନ ସମ୍ମତ କରାଯାଏ ତେବେ ଏହା ଆହୁରି ବୃଦ୍ଧି ପାଇବ। ହିନ୍ଦୁ ଦକ୍ଷିଣପନ୍ଥୀ ସଂଗଠନର ମହିଳା ଗୋଷ୍ଠୀ ଦାବି କରିଛନ୍ତି ଯେ, ସମଲିଙ୍ଗୀ ବିବାହକୁ ନେଇ କରାଯାଇଥିବା ସର୍ଭେରେ ୩୧୮ ଜଣ ଡାକ୍ତର ସେମାନଙ୍କ ମତ ରଖିଛନ୍ତି। ସଂଗଠନର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ପ୍ରାୟ ୭୦ଶତକଡା ଡାକ୍ତର ଏବଂ ସେମାନଙ୍କର ସହଯୋଗୀ ଫ୍ରଫେସର ସମଲିଙ୍ଗୀ ସମ୍ପର୍କ ଏକ ବ୍ୟାଧି ବା ଡିସ୍‌ଅର୍ଡର ଭାବେ ବିବେଚନା କରିଛନ୍ତି। ୮୩ ଶତକଡା ମତରେ ଏହାଦ୍ୱାରା ଯୌନରୋଗ ବଢିବାର ଆଶଙ୍କା ରହିଛି।

ସଂଗଠନ କହିଛି ଯେ, ଏପରି ମାନସିକ ବିକୃତି ରୋଗୀଙ୍କୁ ଭଲ କରିବା ପାଇଁ କାଉନସେଲିଂ ଗଠନ କରାଯିବା ଉଚିତ। ସମଲିଙ୍ଗୀ ବିବାହକୁ ଆଇନ ସମ୍ମତ କରିବାକୁ କୌଣସିି ନିଷ୍ପତ୍ତି ନେବା ପୂର୍ବରୁ ଜନମତ ଗ୍ରହଣ କରାଯିବା ଆବଶ୍ୟକ।ଅନେକ ଧାର୍ମିକ ଅନୁଷ୍ଠାନ ଏଭଳି ବିବାହର ସୀକୃତିକୁ ବିରୋଧ କରିଛନ୍ତି। ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟ ଏହାକୁ ବିରୋଧ କରି ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ସନାତନ ଧର୍ମ ଅନୁଯାୟୀ ଏହି ବିବାହ ସମ୍ଭବ ନୁହେଁ। ଏହା ଦିଗହୀନ ଅଟେ।