ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବାକୁ କ୍ୟାବିନେଟର ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବାକୁ କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଇଏମ ଏହି ଯୋଜନାକୁ ଅନୁମୋଦନ କରିଛି।ଏହି ଯୋଜନା ଅଧୀନରେ ଦେଶରେ ୧୦ ହଜାର ବିଦ୍ୟୁତ ଚାଳିତ ବସ୍‌ ଲଞ୍ଚ କରାଯିବ। ଏହି ବସ୍‌ଗୁଡ଼ିକ ୧୦୦ଟି ସହରରେ ଗଡ଼ିବ। ଏଥିପାଇଁ ସହରର ଭିତ୍ତିଭୂମିକୁ ଗ୍ରୀନ ଅର୍ବାନ ମୋବିଲିଟି କାର୍ୟ୍ୟକ୍ରମରେ ବିକଶିତ କରାଯିବ। ୧୦ ବର୍ଷ ପାଇଁ ଏହି ଇ-ବସ୍‌ର ସହାୟତା ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ତାଙ୍କ କହିବା କଥା ଯେ ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଅଧୀନରେ ଚାଲିବାକୁ ଥିବା ୧୦ ହଜାର ବିଦ୍ୟୁତ ଚାଳିତ ବସ୍‌ ସହାରାଞ୍ଚଳରେ ଗଡ଼ିବ। ପ୍ରାଇଭେଟ-ପବ୍ଲିକ ସହାଭାଗିତାରେ ସେବା ମିଳିବ। ଏହି ଯୋଜନା ପାଇଁ ମୋଟ ୫୭,୬୧୩ କୋଟିର ବ୍ୟୟବରାଦ କରାଯାଇଛି।

ଏଥି ମଧ୍ୟରୁ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା ଦେବେ। ବାକି ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ। ଏହି ଯୋଜନା ଅଧୀନରେ ୧୦ ବର୍ଷ ପାଇଁ ବସ ସେବାର ସହାୟତା ମିଳିବ। ଏହି ଯୋଜନା ଯୋଗୁ ୪୫ରୁ ୫୫ ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ ବୋଲି ମଧ୍ୟ ସରକାର ଦାବି କରିଛନ୍ତି।