ଓଡିଶାରେ ଫୁଲ ଦମରେ ଲଢିବ ବିଜେପି

ଭୁବନେଶ୍ୱର: ଦିନିକିଆ ଓଡି଼ଶା ଗସ୍ତରେ ଆସି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବା ସହ, ୨୦୨୪ ସାଧାରଣ ନିର୍ବାଚନ ଲାଗି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆଗାମୀ ନିର୍ବାଚନରେ ଦଳ ଓଡିଶାରେ ଫୁଲ ଦମରେ ଲଢିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଦଳୀୟ କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଖୋଲା ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପଶ୍ଚିମବଙ୍ଗର ଉଦାହରଣ ଦେଇ କହିଛନ୍ତି- ଓଡି଼ଶାରେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତିର କାର୍ୟ୍ୟାନୁଷ୍ଠାନ ହେବ । ଏଥିପାଇଁ ନୋଟିସ ଦିଆଯାଇଛି, ଉତ୍ତର ନମିଳିଲେ ପୁଣି ନୋଟିସ କରାଯିବ । ୟୁପିଏ ଅପେକ୍ଷା ଏନଡିଏ ସମୟରେ ଓଡ଼ିଶାକୁ ଅଧିକ କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି । ତେବେ ଏହାର ଜବାବ ରଖି ଦୁର୍ନୀତିର ହିସାବ ମାଗିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ।
ଅନ୍ୟପକ୍ଷରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ସଂପର୍କରେ ଦେଇଥିବା ଟିପ୍ପଣୀକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ଗଣମାଧ୍ୟମ । ଜବାବରେ ଅନୁରାଗ ଠାକୁର କହିଛନ୍ତି- ବିରୋଧୀ ଜନବିରୋଧୀ ହୋଇପାରିବେ ନାହିଁ । ସେମାନେ ସରକାର ବିରୋଧୀ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଗରିବ କଲ୍ୟାଣ ପାଇଁ କାମ କରୁଛି । ତେଣୁ ଆମେ କେମିତି ଜନବିରୋଧୀ ହେଲୁ? ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।