କ୍ରିପ୍ଟୋ-ପଂଜି ସ୍କାମର ପର୍ଦ୍ଦାଫାସ: ମାଷ୍ଟରମାଇଣ୍ଡ ଗିରଫ

କ୍ରିପ୍ଟୋ-ପଂଜି ସ୍କାମର ପର୍ଦ୍ଦାଫାସ: ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ବର:  କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ) ଅନ୍ୟ ଏକ ବଡ଼ କ୍ରିପ୍ଟୋ-ପଞ୍ଜି ସ୍କାମର ପର୍ଦ୍ଧାଫାସ କରିବାରେ ସଫଳ ହୋଇଛି । ଇଓଡବ୍ଲୁ୍ୟ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟ ସନ୍ଦୀପ ଚୌଧୁରୀଙ୍କୁ ଗିରଫ କରିଛି । ସେ ଭାରତରୁ ଦୁବାଇ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି । 

ରାଜସ୍ଥାନର ଜୟପୁରର ମୂଳ ବାସିନ୍ଦା ସନ୍ଦୀପ ଚୌଧୁରୀ(୪୦)ଙ୍କୁ ଜୟପୁରର ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଇଓଡବ୍ଲୁ୍ୟ ତାଙ୍କୁ ରିମାଣ୍ଡରେ ଆଣିବା ଲାଗି କୋର୍ଟରେ ଆବେଦନ କରିଥିଲା । ନ୍ୟାୟାଳୟ ୫ଦିନିଆ ରିମାଣ୍ଡ ଲାଗି ଅନୁମତି ଦେଇଛନ୍ତି । ଏହାପରେ ସନ୍ଦୀପ ଚୌଧୁରୀଙ୍କୁ ଓଡ଼ିଶା ଅଣାଯାଇଛି । ତାଙ୍କୁ କଟକ ଓପିଆଇଡିରେ ହାଜର କରାଯିବ ବୋଲି ସୂଚନା ମିଳିଛି ।
ତେଣେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱରରୁ ଓଡିଶା ୟେସ୍ ୱାର୍ଲ୍ଡର ଦୁଇ ସଦସ୍ୟ ବସନ୍ତ କୁମାର ପ୍ରଧାନ ଏବଂ ମନୋଜ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରିଛି । ଉଭୟଙ୍କୁ କଟକ ଓପିଆଇଡିରେ ହାଜର କରାଯିବ ।
ପୁରୀର ସ୍ୱାଗତ କୁମାର ନାୟକଙ୍କ ଅଭିଯୋଗକ୍ରମେ ଏହି ମାମଲା ପଞ୍ଜିକୃତ ହୋଇଥିଲା । ସନ୍ଦୀପ ଚୌଧୁରୀ, ବସନ୍ତ କୁମାର ପ୍ରଧାନ ଏବଂ ମନୋଜ କୁମାର ପଟ୍ଟନାୟକ ତାଙ୍କ ଠାରୁ ୮୫ ହଜାର ଟଙ୍କା ଠକିନେଇଥିବା ସେ ଅଭିଯୋଗ କରିଥିଲେ ।।