ଶାଶୂ ଘରେ ସ୍ତ୍ରୀକୁ ଆଘାତ ଲାଗିଲେ ସ୍ୱାମୀ ଦାୟୀ : ସୁପ୍ରିମକୋର୍ଟ
ଶାଶୂ ଘରେ ସ୍ତ୍ରୀକୁ ଆଘାତ ଲାଗିଲେ ସ୍ୱାମୀ ଦାୟୀ : ସୁପ୍ରିମକୋର୍ଟ
admin
Mar 10, 2021 - 11:39
Updated: Mar 10, 2021 - 11:39
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଏକ ରାୟ ଦେଇ କହିଛନ୍ତି ଯେ ଯଦି ଜଣେ ମହିଳାଙ୍କ ଶାଶୂଘରେ ନିର୍ଯାତନା ଦିଆଯିବା ଯୋଗୁ ତାଙ୍କ ଦେହରେ କ୍ଷତ ସୃଷ୍ଟି ହୁଏ, ତାହା ହେଲେ ସେଥିପାଇଁ ତାଙ୍କ ସ୍ୱାମୀ ପ୍ରମୁଖ ଦାୟୀ ରହିବେ । ଯଦି ମହିଳାଙ୍କ ଶାଶୂଘରର ବାକି ସଦସ୍ୟ ତାଙ୍କୁ ନିର୍ଯାତନା ଦେଇଥାନ୍ତି, ତାହା ହେଲେ ବି ଏଥିପାଇଁ ତାଙ୍କ ସ୍ୱାମୀ ଦାୟୀ ହେବେ । ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ରାୟ ଦେବା ସହିତ ଅଭିଯୋଗକାରିଣୀଙ୍କ ସ୍ୱାମୀଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି । ପୀଡ଼ିତା ମହିଳା ଗତ ବର୍ଷ ଜୁନ ମାସରେ ନିଜ ସ୍ୱାମୀ ଏବଂ ଶାଶୂଘର ପରିବାରର ବାକି ସଦସ୍ୟଙ୍କ ବିରୋଧରେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେବା ସହ ତାଙ୍କର ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିବାର ଅଭିଯୋଗ କରିଥିଲେ । ମହିଳା ଜଣକ ଦର୍ଶାଇଥିଲେ କି ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ତାଙ୍କୁ କି୍ରକେଟ ବ୍ୟାଟରେ ପିଟିଥିଲେ । ତାଙ୍କ ଶାଶୁ ଏଥିରେ ସହଯୋଗ କରିଥିଲେ । ତାଙ୍କ ସ୍ୱାମୀ ମଧ୍ୟ ତାଙ୍କର ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହା ପରେ ସେମାନେ ତାଙ୍କୁ ଘରୁ ବାହାର କରି ରାସ୍ତାରେ ପକାଇ ଦେଇଥିଲେ । ସେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ତାଙ୍କର ବାପା ଏବଂ ଭାଇ ଆସି ତାଙ୍କୁ ହସ୍ପିଟାଲ ନେଇଥିଲେ । ସେଠାରେ ତାଙ୍କ ଦେହରେ ୧୦ଟି ଜାଗାରେ ଗୁରୁତର କ୍ଷତ ଥିବାବେଳେ ଗୁପ୍ତାଙ୍ଗରେ ବି ଗୋଟିଏ କ୍ଷତ ଥିଲା । ପୀଡ଼ିତା ମହିଳାଙ୍କ ସ୍ୱାମୀ ଯୁକ୍ତି ବାଢ଼ିଥିଲେ ଯେ ତାଙ୍କର ବାପା ଅଭିଯୋଗକାରିଣୀଙ୍କୁ ପିଟିଥିଲେ । ସେ କିନ୍ତୁ ତାଙ୍କୁ ଆଦୌ ବାଡେ଼ଇ ନାହାନ୍ତି । ତେଣୁ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଉ । ମାତ୍ର ସୁପି୍ରମକୋର୍ଟ ଏଭଳି ଯୁକ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।