ଭୟଙ୍କର ବିସ୍ଫୋରଣ ନେଲା ୭ ଜୀବନ

ଭୟଙ୍କର ବିସ୍ଫୋରଣ ନେଲା ୭ ଜୀବନ

ଭୟଙ୍କର ବିସ୍ଫୋରଣ ନେଲା ୭ ଜୀବନ

ଭାଗଲପୁର: ବିହାରର ଭାଗଲପୁରରେ ଆଜି ଭୋର ସମୟରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୭ ଜଣଙ୍କ ଜୀବନ ଯାଇଛି। ୫ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣରେ  ୪ଟି ଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ତାତାରପୁର ଥାନା ଅଧୀନରେ ଥିବା ଗୋଟିଏ ଅଞ୍ଚଳରେ ଏପରି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ଓ ମହିଳା ମଧ୍ୟ ରହିଛନ୍ତି। ସେହିପରି ଆଉ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।

୪ଟି ଘର ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ଘର କ୍ଷତିଗ୍ରସ୍ତ ହୋଇଥିବା ପୁଲିସ କହିଛି। ଖବର ପାଇ ଉଦ୍ଧାରକାରୀ ଦଳ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଭୁଶୁଡ଼ି ପଡ଼ିଥିବା ଘର ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ଏବେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଛି।


ପୁଲିସ୍ କହିଛି ଯେ ଏହି ଅଞ୍ଚଳରେ ସାଧାରଣତଃ ବାଣ ତିଆରି କାମ ଚାଲେ। ତେଣୁ ବାଣ ଯୋଗୁ ଏପରି ବଡ଼ ବିସ୍ଫୋରଣ ହୋଇଥାଇ ପାରେ। ବିସ୍ଫୋରଣ ପ୍ରଥମେ ଗୋଟିଏ ୩ ମହଲା ଘରେ ହୋଇଥିଲା। ଫଳରେ ଏହା ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ କିଛି ଦିନ ତଳେ ଏହି ଅଞ୍ଚଳକୁ ନେଇ ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଥିଲା। ତେଣୁ ଏହା ପଛରେ କୌଣସି ଆତଙ୍କୀ କାର୍ୟ୍ୟକଳାପ ଥାଇ ପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି।