୨୮ରେ ଓସିଏ ନିର୍ବାଚନ

୨୮ରେ ଓସିଏ ନିର୍ବାଚନ

୨୮ରେ ଓସିଏ ନିର୍ବାଚନ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)ର ନିର୍ବାଚନ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଓସିଏ ନିର୍ବାଚନ ଅଧିକାରୀଙ୍କ ତରଫରୁ ଭୋଟର୍‌ ତାଲିକା ପ୍ରକାଶ ପାଇଛି । ନିର୍ବାଚନ ପାଇଁ ଆଜି ୭୩ ଜଣିଆ ଭୋଟର ତାଲିକା ପ୍ରକାଶ ପାଇଛି । ୨୦୧୯ ଭୋଟର ତାଲିକା ଏବଂ ଚଳିତ ବର୍ଷର ଭୋଟର ତାଲିକା ମଧ୍ୟରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୦୧୯ରେ ବୌଦ୍ଧ ଜିଲ୍ଳାରୁ ପ୍ରତିନିଧିତ୍ୱ କରିଥିବା ପଙ୍କଜ ଲୋଚନ ମହାନ୍ତି ଏଥର କଟକ ଜିଲ୍ଲାରୁ ଭୋଟର୍‌ ଭାବେ ଓସିଏକୁ ଆସିଛନ୍ତି । ସଞ୍ଜୟ ବେହେରା ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌, ଆଶୀର୍ବାଦ ବେହେରା ଜୟ ଦୁର୍ଗା କ୍ଲବ୍‌, ସନ୍‌ସାଇନ୍‌ କ୍ଲବ୍‌ ତରଫରୁ ନବକିଶୋର ପଟ୍ଟନାୟକ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ଜଗତସିଂହପୁରରୁ ଅନିଲ କୁମାର ବିଶ୍ୱାଳ, ୟୁନିୟନ୍‌ ସ୍ପୋର୍ଟିଂ ତରଫରୁ ପ୍ରଦୀପ ଚୌହ୍ୱାନ, ସନ୍‌ରାଇଜ କ୍ଲବ୍‌ରୁ ତଡିତ କୁମାର ରାଉତଙ୍କ ନାଁ ଚର୍ଚ୍ଚାରେ ରହିଛି । ଏମାନଙ୍କ ମଧ୍ୟରୁ ଆଶୀର୍ବାଦ, ପ୍ରଣବ ଓ ପ୍ରଦୀପ କୌଣସି ପଦପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଜଣାପଡିଛି । ତେବେ ନବ ପଟ୍ଟନାୟକଙ୍କ ପ୍ୟାନେଲ୍‌ ତରଫରୁ ବିଜେଡି ସାଧାରଣ ସମ୍ପାଦକ ବିଶ୍ୱଜିତ୍‌ ମହାନ୍ତି ଏଥର ଓସିଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଶୁଣାଯାଇଥିବାରୁ ସଞ୍ଜୟଙ୍କ ପ୍ୟାନେଲ୍‌ ପ୍ରଣବ ପ୍ରକାଶ ଦାସଙ୍କୁ ଓସିଏରେ ଏଣ୍ଟ୍ରି କରାଇଛି ।

ନୂଆ ସମ୍ବିଧାନ ଓ ବିଧିବ୍ୟବସ୍ଥାକୁ ନେଇ ୨୦୧୯ ମସିହାରେ ଓସିଏରେ ଏକ ରୋମାଞ୍ଚକର ନିର୍ବାଚନ ହୋଇଥିଲା । ଗୋଟିଏ ଗୋଷ୍ଠୀରେ ବିଶିଷ୍ଟ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି, ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ଯଥାକ୍ରମେ ସଭାପତି ଓ ସମ୍ପାଦକ ପଦବିରେ ନିର୍ବାଚନକୁ ଓହ୍ଲାଇଥିବା ବେଳେ ପ୍ରତିପକ୍ଷ ପ୍ୟାନେଲରେ ଥିଲେ ପ୍ରଦୀପ ଚୌହ୍ୱାନ ଓ ନବ ପଟ୍ଟନାୟକ । ତେବେ ମାତ୍ର ୩ଟି ଭୋଟ୍‌ରେ ପ୍ରଦୀପ ହାରିଥିବାବେଳେ ନବ ପଟ୍ଟନାୟକ ମଧ୍ୟ ନିର୍ବାଚନରେ ସଫଳ ହୋଇପାରିନଥିଲେ । ସେ ସମୟରେ ଅନେକ କ୍ଲବ୍‌ ଓ ଜିଲ୍ଲା ଭୋଟର ପ୍ରଦୀପ-ନବଙ୍କ ପଛରେ ଥିଲେ । ଏହାସହ ପୂର୍ବରୁ ଆଶୀର୍ବାଦଙ୍କ ପ୍ୟାନେଲରେ ରହି ଓସିଏର ବିଭିନ୍ନ ପଦପଦବିରେ ରହି କାର୍ୟ୍ୟ କରିସାରିଥିବା ବହୁ କର୍ମକର୍ତ୍ତା ପ୍ରଦୀପ-ନବଙ୍କୁ ସହଯୋଗ କରିଥିଲେ । ଏହାସତ୍ତେ୍ୱ ପଙ୍କଜ-ସଞ୍ଜୟଙ୍କ ପ୍ୟାନେଲ୍‌ ଜିତିଥିଲା । ନୂଆ ଟିମ୍‌ ଭାବେ ଏହି ପ୍ୟାନେଲ୍‌ ୩ ବର୍ଷ ପାଇଁ ନିର୍ବାଚିତ ହୋଇ କାର୍ୟ୍ୟଭାର ଗ୍ରହଣ କରିଥିଲେ । ଏଭିତରେ ୩ ବର୍ଷ ବିତିଥିବା ବେଳେ ପୁଣି ନିର୍ବାଚନ ମାହୋଲ ଜମିଲାଣି ।