୨୪ ଘଣ୍ଟା ଯାଏ ବର୍ଷା

୨୪ ଘଣ୍ଟା ଯାଏ ବର୍ଷା

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସାଙ୍ଗକୁ ଓଡ଼ିଶା ଉପରେ ଏକ ଟ୍ରପଲାଇନ ସୃଷ୍ଟି ହୋଇଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେତେକ ସ୍ଥାନରେ ୪୦ ରୁ ୬୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ତେବେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା କ୍ଷୀଣ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞା କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୯ ତାରିଖ ମଧ୍ୟାହ୍ନ ମଧ୍ୟରେ ଦକ୍ଷିଣ ଓଡ଼ିଶା ଯଥା କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ,ପୁରୀ, କନ୍ଧମାଳ, ଖୋର୍ଦ୍ଧା, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ବଲପୁରରେ ପ୍ରବଳ ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ବଜ୍ରପାତର ଆଶଙ୍କା ରହିଛି । ବିଶେଷ କରି ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କଟକ ଜିଲ୍ଲାରେ ବଜ୍ରପାତର ପ୍ରକୋପ ଅଧିକ ରହିବ । ଠାଏଠାଏ ପ୍ରବଳ ବର୍ଷା ବି ହୋଇପାରେ । ୨୦ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଲ ବର୍ଷା ଲାଗି ରହିବ । ୨୧ ଓ ୨୨ ତାରିଖରେ ସାରା ଓଡ଼ିଶାରେ ଶୁଖିଲା ପାଗ ଲାଗି ରହିବ । ଏହାପର ଦୁଇ ଦିନ ଅର୍ଥାତ ୨୩ ଓ ୨୪ ତାରିଖରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହୋଇପାରେ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହେବ । ଗତ ୧୨ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୧୧.୧ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୭.୪, ଅନୁଗୁଳ ଓ କେନ୍ଦୁଝରରେ ୭ ମିମି ଲେଖାଏଁ, କୋରାପୁଟରେ ୪ ମିମି, ଝାରସୁଗୁଡ଼ା ଓ ସମ୍ବଲପୁରରେ ୨ ମିମି ଲେଖାଏଁ ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।