୧୦ରୁ ଅଧିକ ବିଭାଗରେ ନାହାନ୍ତି ଶାସନ ସଚିବ : କା’ରେ ଚାଲିଛି କାମ

୧୦ରୁ ଅଧିକ ବିଭାଗରେ ନାହାନ୍ତି ଶାସନ ସଚିବ : କା’ରେ ଚାଲିଛି କାମ

୧୦ରୁ ଅଧିକ ବିଭାଗରେ ନାହାନ୍ତି ଶାସନ ସଚିବ : କା’ରେ ଚାଲିଛି କାମ
ଭୁବନେଶ୍ୱର : ରାଜ୍ୟ ଶାସନ ଏବେ ଠିକାରେ ଚାଲିଛି । ୧୦ରୁ ଅଧିକ ବିଭାଗ ଏକ ପ୍ରକାର ମୁରବୀ ବିହୀନ । କେଉଁ ବିଭାଗରେ ସଚିବମାନେ ୭/୮ବର୍ଷହେଲା ସ୍ଥାନ ଛାଡୁନାହାନ୍ତି ତ ଆଉ କେଉଁଠି କେବଳ କା’ ସଚିବରେ ହିଁ ବିଭାଗ ଚାଲିଛି । ଛୋଟ ଛୋଟ ବିଭାଗ ନୁହେଁ ବହୁ ଗୁରୁତ୍ୱପୂର୍ଣ୍ଣ ବଡ ବିଭାଗରେ ବି ଠିକା ସଚିବ କାମ ତୁଲାଉଛନ୍ତି । ଏହାର ତାଲିକା ବେଶ୍‍ ଲମ୍ବା । ପ୍ରଥମେ ଆସିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ । ରାଜ୍ୟର ଭବିଷ୍ୟତ ଗଢୁଥିବା ଏହି ବିଭାଗରେ ଦୀର୍ଘଦିନ ହେଲା ସଚିବ ନାହାନ୍ତି । ଏମ୍‍ଏସ୍‍ଏମ୍‍ଇ ବିଭାଗ ସଚିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱରେ ଅଛନ୍ତି । ସେହିଭଳି ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଲା ମହିଳା ଓ ଶିଶୁ ବିକାଶ । ଏଠାରେ ବି ଦୀର୍ଘଦିନ ହେଲା ସଚିବ ନାହାନ୍ତି । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଏହି ବିଭାଗର ଦାୟିତ୍ୱ ତୁଲାଉଛନ୍ତି । କୃଷି ପ୍ରଧାନ ରାଜ୍ୟ ଓଡିଶାରେ କୃଷି ବିଭାଗର ସଚିବ ପଦବୀ ଖାଲି ପଡିଛି । କୃଷି ସଚିବ ଦିଲ୍ଲୀ ଡେପୁଟେସନ ଯିବାପରେ ଏଠାରେ ବିଭାଗର ସ୍ୱତନ୍ତ୍ର ସଚିବ ଏହି ଦାୟିତ୍ୱ ସମ୍ଭାଳୁଛନ୍ତି । ସେହିଭଳି ବର୍ଷ ବର୍ଷ ଧରି ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି)ବିଭାଗଟିକୁ ଠିକା ସଚିବରେ ଚଳାଯାଉଛି । ବର୍ତ୍ତମାନ ଏଠାରେ ଯିଏ ସଚିବ ଅଛନ୍ତି ସିଏ ଜଣେ ରେଳବାଇ ଅଫିସର ଓ ଓଡିଶାକୁ ଡେପୁଟେସନରେ ଆସିଛନ୍ତି । ତାଙ୍କର ମୂଳ ଚାକିରି ହେଉଛି ବାଣିଜ୍ୟ ଓ ପରିବହନ ବିଭାଗରେ । ହେଲେ ତାଙ୍କ ହାତରେ ଅତିରିକ୍ତ ଭାବେ ଆଇଟି, ବିଜ୍ଞାନ ଓ କାରଗରୀ କୌଶଳ ବିଭାଗ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ମିଳିଛି । ରାଜ୍ୟ ଅବକାରୀ ସଚିବ ପଦବୀ ବି ଫାଙ୍କା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଦାୟିତ୍ୱ ଅତିରିକ୍ତ ଭାବେ ସମ୍ଭାଳିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ରହିଛି ଉନ୍ନୟନ କମିଶନରଙ୍କ ହାତରେ । ଏହି ବୃହତ୍‍ ବିଭାଗରେ ସରକାର ଜଣେ ସଚିବଙ୍କୁ ନିଯୁକ୍ତି ଦେଉନାହାନ୍ତି । ଉନ୍ନୟନ କମିଶନରଙ୍କ ହାତରେ ନିଜ ଦାୟିତ୍ୱ ସହିତ ଗ୍ରାମ୍ୟ ଉନ୍ନୟନ ଓ ଏସ୍‍ଆରସି ଭଳି ଗୁରୁଦାୟିତ୍ୱ ରହିଛି । ଏହି ଦୁଇ ସଂସ୍ଥାରେ କାହାରିକୁ ସ୍ଥାୟୀ ନିଯୁକ୍ତି ମିଳୁନାହିଁ । ସମବାୟ ବିଭାଗର ସଚିବ ଦାୟିତ୍ୱ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ସମ୍ଭାଳିଥିବାବେଳେ ସଂସଦୀୟ ବ୍ୟାପାର ବିଭାଗ ସମ୍ଭାଳିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ । ସୂଚନା ଓ ଲୋକସମ୍ପର୍କ ବିଭାଗରେ ସ୍ଥାୟୀ ସଚିବ ନଥିବାରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସଚିବ ଏହା ଦାୟିତ୍ୱରେ ଅଛନ୍ତି । ସେହିଭଳି କ୍ରୀଡା ରାଜଧାନୀ ହେବାକୁ ଯାଉଥିବା ଓଡିଶାର କ୍ରୀଡା ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି । ପର୍ଯ୍ୟଟନ ସଚିବ ଏହି ବିଭାଗକୁ ସମ୍ଭାଳିଛନ୍ତି । ସେହିଭଳି ଏକାଧିକ ଦାୟିତ୍ୱରେ ଥିବା ଅନ୍ୟ ସଚିବଙ୍କ ମଧ୍ୟରେ ଦକ୍ଷତା ବିକାଶ ସଚିବ । ସିଏ ଏକାଧାରାରେ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଦାୟିତ୍ୱ ସହିତ ବିଏମ୍‍ସି କମିଶନର, ବିଡଏ ଉପାଧ୍ୟକ୍ଷ, ସ୍ମାର୍ଟସିଟି ସିଇଓ ମଧ୍ୟ ଅଛନ୍ତି । ସେହିଭଳି ପୂର୍ତ୍ତ ସଚିବ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଇଡ୍‍କୋ ଦାୟିତ୍ୱ ସମ୍ଭାଳିଛନ୍ତି । ଦୀର୍ଘଦିନ ଧରି ଗୋଟିଏ ବିଭାଗରେ ରହି ରେକର୍ଡ କରିଥିବା ସଚିବଙ୍କ ମଧ୍ୟରେ ଅଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ । ଏହି ଦୁଇ ପ୍ରମୁଖ ସଚିବଙ୍କର ନିଜ ନିଜ ବିଭାଗରେ କାର୍ଯ୍ୟକାଳ ୭ବର୍ଷରୁ ଅଧିକ ସମୟ ହୋଇଗଲାଣି । ରାଜ୍ୟରେ ୫-ଟି ଠାରୁ ଆରମ୍ଭ କରି ମୋ ସରକାର ପର୍ଯ୍ୟନ୍ତ ସବୁ କାର୍ଯ୍ୟକାରୀ ହେଉଥିବାବେଳେ ବିଭାଗଗୁଡିକ ଦୀର୍ଘଦିନ ଧରି ମୁରବୀ ବିହନ ହେବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏଥିପାଇଁ ଆବଶ୍ୟକ ଅଧିକାରୀ ମିଳୁନାହାନ୍ତି ନା କ୍ଷମତାକୁ ଗୋଟିଏ ସ୍ଥାନରୁ ପରିଚାଳନା ପାଇଁ ଏଭଳି ଜାଣିଶୁଣି ହେଉଛି ତାହାର ବିଚାର ଆପଣଙ୍କର ।