ରାସନକାର୍ଡ ତାଲିକାରେ ୧୦ ଲକ୍ଷ ଜାଲ ହିତାଧିକାରୀ!
ରାସନକାର୍ଡ ତାଲିକାରେ ୧୦ ଲକ୍ଷ ଜାଲ ହିତାଧିକାରୀ!
admin
Sep 6, 2019 - 05:07
Updated: Sep 6, 2019 - 05:07
ଭୁବନେଶ୍ୱର : ରାସନକାର୍ଡ ଦୁର୍ନୀତି ସରକାରଙ୍କ ପିଛା ଛାଡ଼ୁନି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀ ବର୍ଷ ବର୍ଷ ଧରି ଚାଉଳଠୁ ଆରମ୍ଭ କରି ସାଧାରଣ ବଣ୍ଟନ ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି । ଆଧାର ସଂଯୋଗ ଯୋଗୁଁ ସରକାରଙ୍କ ଅପାରଗତା ଏବେ ଧରାପଡ଼ିଛି । ଏସବୁ ହିତାଧିକାରୀ ଏକାଧିକ ସ୍ଥାନରୁ ରାସନକାର୍ଡ ହାତେଇ ପିଡିଏସ ଚାଉଳ ନେଇଆସୁଛନ୍ତି । ଏବେ ସେମାନଙ୍କ ନାମକୁ ଏନଏଫଏସଏ ତାଲିକାରୁ ବାଦ୍ ଦେଇ ସେମାନଙ୍କ ସ୍ଥାନରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରକାଶ ଥାଉ କି ରାସନ କାର୍ଡ ଜାଲିଆତି ଧରିବା ପାଇଁ ସରକାର ଦୁଇ ମାସ ତଳୁ ଆଧାର ସଂଯୋଗ କରିବା ଆରମ୍ଭ କରିଛନ୍ତି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରକି୍ରୟା ଜାରି ରହିବ । ଏବେ ବାଦ ପଡ଼ିବାକୁ ଥିବା ଜାଲ ହିତାଧିକାରୀଙ୍କ ନାମକୁ ଏନଏଫଏସଏ ତାଲିକାରୁ ବାଦ ଦେଇ ସେମାନଙ୍କ ସ୍ଥାନରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଯୋଡ଼ାଯିବ ।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂତ୍ର ଅନୁଯାୟୀ ଏନଏଫଏସଏ ତାଲିକାରେ ସାମିଲ ହୋଇନଥିବା ୨୫ ଲକ୍ଷ ହିତାଧିକାରୀଙ୍କ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଏସବୁ ହିତାଧିକାରୀଙ୍କୁ ଚାଉଳ ଓ ଅନ୍ୟ ରାସନ ବାବଦରେରାଜ୍ୟ ସରକାର ଆର୍ଥିକ ବୋଝ ବହନ କରୁଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩ କୋଟି ୨୬ ଲକ୍ଷ ବ୍ୟକ୍ତିଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରାଯାଇଛି । ସେମାନଙ୍କୁ ରାସନ ପ୍ରଦାନ ବାବଦରେ କେନ୍ଦ୍ର ସରକାର ଆର୍ଥିକ ଭାର ବହନ କରୁଛନ୍ତି । ଏବେ ଆଧାର ସଂଯୋଗ ଯୋଗୁଁ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କ ନାମକୁ ଏନଏଫଏସଏ ତାଲିକାରେ ଯୋଡ଼ାଯାଇଛି । ଏଥିଯୋଗୁଁ ରାଜ୍ୟ ସରକାରଙ୍କ ଉପରୁ ଆର୍ଥିକ ବୋଝ କମ୍ ହେବ ।
ବର୍ତ୍ତମାନ ସାରା ରାଜ୍ୟରେ ୩ କୋଟି ୬ ଲକ୍ଷ ଏନଏଫଏସଏ ହିତାଧିକାରୀଙ୍କ ଆଧାର ସଂଯୋଗ ପ୍ରକି୍ରୟା ସମ୍ପୂର୍ଣ୍ଣ ହୋଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ବାକି ୧୯ ଲକ୍ଷ ହିତାଧିକାରୀଙ୍କ ଆଧାର ସିଡିଂ ପ୍ରକି୍ରୟା ସମ୍ପୂର୍ଣ୍ଣ କରାଯିବ ବୋଲି ଖାଦ୍ୟ ଯୋଗାଣ ବିଭାଗର ଜନୈକ ଅଧିକାରୀ କହିଛନ୍ତି ।