ହାତୀ ଆକ୍ରମଣରେ ପତ୍ନୀ ମୃତ, ସ୍ବାମୀ ଗୁରୁତର
ହାତୀ ଆକ୍ରମଣରେ ପତ୍ନୀ ମୃତ, ସ୍ବାମୀ ଗୁରୁତର
ତାଳଚେର: ଥମୁନି ହାତୀ-ମଣିଷ ଲଢ଼େଇ। ଜଙ୍ଗଲରେ ନିଆଁ ଓ ଖାଦ୍ୟାଭାବ ଯୋଗୁଁ ଜନବସିତି ମୁହାଁ ହେଉଛନ୍ତି ଜଙ୍ଗଲୀ ପ୍ରାଣୀ। ଏହି କ୍ରମରେ ତାଳଚେର ସନ୍ଥପଡା ଗ୍ରାମରେ ବିଳମ୍ବିତ ରାତିରେ ଶୋଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ କାଞ୍ଚନ ମୁଣ୍ଡା।ଗୁରୁତର ସ୍ୱାମୀ ଜଣକ ହେଲେ ମୁକୁନ୍ଦ ମୁଣ୍ଡା।
ସୋମବାର ବିଳମ୍ବିତ ରାତିରେ ସ୍ୱାମୀ ଓ ସ୍ତ୍ରୀ ଘରେ ଶୋଇଥିବା ବେଳେ ସ୍ତ୍ରୀକୁ ଦନ୍ତା ହାତୀଟି ଘୋଷାଡ଼ି ମାରିଥିବା ବେଳେ ଅଳ୍ପକେ ବର୍ତ୍ତି ଗୁରୁତର ହୋଇଛନ୍ତି ସ୍ୱାମୀ। ସ୍ୱାମୀଙ୍କୁ ଗ୍ରାମବାସୀ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ସରାଙ୍ଗ ପଟରୁ ବ୍ରାହ୍ମଣୀ ନଦୀ ପାର ହୋଇ ଏକ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ସନ୍ଥପଡ଼ାକୁ ଆସିଥିଲେ। ହାତୀ ପଲରୁ ଏକ ଦନ୍ତା ହାତୀ ଘର ଭିତରେ ଶୋଇଥିବା ଦମ୍ପତିଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଳଚେର ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ହାତୀ ପଲଟି ନଦୀ ପାର ହୋଇ ପୁଣି ଢେଙ୍କାନାଳ ଜିଲ୍ଲାକୁ ଚାଲି ଯାଇଥିବା ସୂଚନା ରହିଛି। ବାରମ୍ବାର ହାତୀପଲ ରାତିରେ ଗାଁମୁହାଁ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳି ଯାଇଛି ।




admin 