ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର : ମୁଖ୍ୟମନ୍ତ୍ରୀ

ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର : ମୁଖ୍ୟମନ୍ତ୍ରୀ

ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର - ଲୋକମାନେ ହିଁ ଆମର ଭଗବାନ। ସେମାନେ ହିଁ ଶାସନ ବିନ୍ଦୁ। ଆମ ସରକାର ଉପରେ ଜନସାଧାରଣଙ୍କ ଅତୁଟ ଆଶା ଓ ବିଶ୍ୱାସ ରହିଛି। ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରଧାନ କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ଭୁବନେଶ୍ଵରରେ ଆୟୋଜିତ ଆଇଏଏସ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହା କହିଛନ୍ତି। ଗତ କିଛି ମାସ ହେଲା ସରକାରଙ୍କ ଫୋକସରେ ଥିବା ‘୫-ଟି’ ଓ ‘ମୋ ସରକାର’କୁ ବ୍ୟାପକ ଓ ସଫଳ କରିବା ପାଇଁ ନବନିର୍ମିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି । ପଞ୍ଚମ ପାଳିରେ ଏହା ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ । ଏହି ଅବସରରେ ନବୀନ ବରିଷ୍ଠ ଅଧିକାରୀମାନଙ୍କୁ ମାର୍ଗଦର୍ଶନ କରାଇଥିଲେ। ସେ କହିଥିଲେ, ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର ଅଛି। ସେମାନଙ୍କ ଆଶୀର୍ବାଦରେ ମୁଁ ଗତ ୨୦ ବର୍ଷ ହେଲା ସେମାନଙ୍କ ସେବା କରୁଛି। ଆମ ସମସ୍ତଙ୍କ ପାଇଁ ଆମ ପରିବାର ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ଆମ ନିଜ ପିଲାଙ୍କୁ ଭଲ ପଢାଇବାକୁ ଚେଷ୍ଟା କରୁ। ଆମ ନିଜ ଭାଇ, ଭଉଣୀ ଭଲ ଚାକିରି କରନ୍ତୁ ବୋଲି ଆମେ ଚାହୁଁ। ଆମ ବାପାମା’ ଭଲ ସ୍ୱାସ୍ଥ୍ୟ ସେବା ପାଆନ୍ତୁ ବୋଲି ଆମେ ଚାହୁଁ। ସେହିପରି ମୁଁ ଚାହେଁ ମୋ ପରିବାରର ସମସ୍ତଙ୍କୁ ସୁଖ ସୁବିଧା ମିଳୁ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଲୋକଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିବା ଆମର ପ୍ରମୁଖ କର୍ତ୍ତବ୍ୟ। ଲୋକମାନେ ହିଁ ଗଣତନ୍ତ୍ରର ମୂଳାଧାର। ସରକାରୀ କାର୍ୟ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ୟ୍ୟାଦା ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମିଳନୀରେ ଉପସ୍ଥିତ ମନ୍ତ୍ରୀ, ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଶପଥ ପାଠ କରାଇଥିଲେ। ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ କିଛି ଯୁଗାନ୍ତକାରୀ ଚିନ୍ତାଧାରା ଦେବାକୁ ଆହ୍ୱାନ ଦେଇଛନ୍ତି।