ଲକଡାଉନ ସମୟରେ ଘରୋଇ ହିଂସାକୁ ରୋକିବା ପାଇଁ ନୂଆ ନିୟମ, ଥାନାକୁ ଫୋନ କଲେ ଘରେ ପହଞ୍ଚିବ ପୁଲିସ
ଲକଡାଉନ ସମୟରେ ଘରୋଇ ହିଂସାକୁ ରୋକିବା ପାଇଁ ନୂଆ ନିୟମ, ଥାନାକୁ ଫୋନ କଲେ ଘରେ ପହଞ୍ଚିବ ପୁଲିସ
admin
Apr 16, 2020 - 06:55
Updated: Apr 16, 2020 - 06:55
ଭୁବନେଶ୍ୱର: ସମ୍ପ୍ରତି ଲକଡାଉନ ପରିସ୍ଥିତିରେ ବହୁ ରାଷ୍ଟ୍ର ଓ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଓଡ଼ିଶା ପୁଲିସ ମଧ୍ୟ ରାଜ୍ୟର ଏଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିଛି । ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ରେ ୬ଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଘରୋଇ ହିଂସା ମାମଲାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ । ଯଦିଓ ରାଜ୍ୟରେ ଏଭଳି ଘରୋଇ ହିଂସା ମାମଲା ଆଖି ଦୃଶିଆ ଘଟିନାହିଁ ତଥାପି ଏଥିପାଇଁ ସତର୍କ ରହିବାର ଆବଶ୍ୟକତା ରହିଛି । ରାଜ୍ୟର ବିଭିନ୍ନ ଥାନା ଏବଂ ଜିଲ୍ଲାସ୍ତରରେ ଘରୋଇ ହିଂସା ସମ୍ପର୍କିତ ଅଭିଯୋଗ ନେଇ ରହିଥିବା ୬୦୦ ରୁ ଅଧିକ ହେଲପ ଲାଇନ ନମ୍ବର ଏବଂ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଟେଲିଫୋନ ନମ୍ବରଗୁଡ଼ିକୁ ପୁନର୍ବାର ପ୍ରଚାର କରାଯିବ । ଯାହା ଫଳରେ ଘରୋଇ ହିଂସାର ଶିକାର ହେଉଥିବା ବ୍ୟକ୍ତି ଏହାର ସୁଯୋଗ ନେଇପାରିବେ । ଏ ବାବଦରେ ଫୋନ କଲ ପାଇବା ପରେ ପୁଲିସ ଅଭିଯୋଗକାରୀ ବା ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ଅଭିଯୋଗ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନେବେ । ସେହିପରି ଅଭିଯୋଗକାରୀ ମଧ୍ୟ ଓଡ଼ିଶା ପୁଲିସର ରହିଥିବା ସିଟିଜେନ ପୋର୍ଟାଲ ଏବଂ ସହାୟତା ମୋବାଇଲ ଆପ ମାଧ୍ୟମରେ ସେମାନଙ୍କ ଅଭିଯୋଗ କରିପାରିବେ । ପୁଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ । ଲକଡାଉନ ସମୟରେ ଜିଲ୍ଲାରେ କାର୍ଯ୍ୟରତ ଆଇୟୁସିଏଡବ୍ଲ୍ୟୁ ଏହି ମାମଲା ଗୁଡ଼ିକର ତଦାରଖ କରିବେ ଏବଂ ଏ ନେଇ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।