ରାଜ୍ୟର ସବୁଠୁ ଥଣ୍ଡା ସହର
ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । କୋରାପୁଟର ସେମିଳିଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର । ୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହର । କନ୍ଧମାଳ ଜି. ଉଦୟଗିରିରେ ରାତି ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୮.୫ ଡିଗ୍ରୀ , କେନ୍ଦୁଝର, ଦାରିଙ୍ଗବାଡ଼ି, ସୁନ୍ଦରଗଡ଼ର କିରେଇ ଓ କୋରାପୁଟରେ ୯.୫ ଡିଗ୍ରୀ , ସମ୍ବଲପୁର ଜିଲ୍ଲା ଚିପିଲିମାରେ ୯.୮ ଡିଗ୍ରୀ ଓ ଭବାନୀପାଟଣାରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ଦିନ ପର୍ୟ୍ୟନ୍ତ ରାଜ୍ୟର ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।
ସୋମବାର ଦିନ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯାଇଥିବା ବେଳେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାର ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା । ଆଜିଠାରୁ ରାଜ୍ୟରେ କୁହୁଡ଼ି ପଡ଼ିବାର ସମ୍ଭାବନା କମ୍ । ପାଗ ଖରାଟିଆ ଓ ଆକାଶ ନିର୍ମଳ ରହିବ। ଏଥିସହ ଆସନ୍ତା ୩ ତାରିଖରୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ଓ ଶୀତ ଲହରି ପ୍ରବାହିତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପାଣିପାଗ ବିଶେଷଜ୍ଞ କହିଛନ୍ତି, ଆଜିଠାରୁ ରାଜ୍ୟକୁ ଉତ୍ତରା ପବନ ବହିବା ପରିବର୍ତ୍ତେ ଉତ୍ତର-ପୂର୍ବ ଦିଗରୁ ପବନ ବହିବା ଆରମ୍ଭ କରିଛି । ଫଳରେ ଶୀତ କିଛି ମାତ୍ରାରେ କମିଛି। ଡିସେମ୍ବର ୩ ତାରିଖ ରାତିଠାରୁ ସାରା ରାଜ୍ୟରେ ଉତ୍ତରା ପବନ ବହିବା ସହ ପ୍ରବଳ ଶୀତ ଅନୁଭୂତ ହେବ । ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଆସନ୍ତା ୩ ଦିନରେ ପ୍ରାୟ ୨ ଡିଗ୍ରୀ ଓ ତା’ ପର ଦୁଇଦିନ ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବୁଧବାରରୁ ଶୁକ୍ରବାର ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବଢ଼ିପାରେ ।