ମିଶନ ‘ବାର୍’ ଆରମ୍ଭ
ମିଶନ ‘ବାର୍’ ଆରମ୍ଭ
ଭୁବନେଶ୍ୱର: ମନିଷ ଅନୁରାଗଙ୍କ ହତ୍ୟା ପରେ ସାମ୍ନାକୁ ଆସିଥିଲା ସାଉଥ ସିଟି ବାର୍ର କାରନାମା । ଏହି ଘଟଣା ପରେ ଚେତିଛି କମିଶନରେଟ ପୁଲିସ । ଆରମ୍ଭ ହୋଇଛି ମିଶନ ‘ବାର୍’ । ସହରରେ ଚାଲିଥିବା ବାର୍ଗୁଡ଼ିକର ବେଆଇନ କାରବାର ଉପରେ ପୁଲିସ ନଜର ପକାଇଛି । ବିଳମ୍ବିତ ରାତି ଯାଏ ବେଆଇନ ଭାବେ ଚାଲିଥିବା ବାରରେ ଚଢ଼ାଉ ଆରମ୍ଭ ହୋଇଛି ।
ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ରାତି ୧୦ଟା ପରେ ଏକସାଇଜର କଟକ ଫ୍ଲାଇଂ ସ୍କ୍ବାଡ୍, ଇଣ୍ଟେଲିଜେନ୍ସ ଉଇଙ୍ଗ ଓ ଭୁବନେଶ୍ବର ଅବକାରୀ ଟିମ୍ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍ ଉପରେ ଚଢ଼ାଉ କରିଛି । ଏହି ଚଢ଼ଉ ବେଳେ କଟକ ରୋଡ୍ ସ୍ଥିତ ଲିଭ୍-ଇଟ୍ ଅପ୍, ନସା ଓ ଏକାମ୍ର ଡ୍ୟାନ୍ସ ବାର୍ଗୁଡିକ ବିନା ଲାଇସେନ୍ସରେ ଚାଲୁଥିବା ଦେଖିବାକୁ ପାଇଥିଲା ପୋଲିସ । ଏନେଇ ତିନୋଟି ଯାକ ବାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛି । ଡ୍ୟାନ୍ସ ବାର୍ ମାଲିକଙ୍କ ପାଖରେ ଲାଇସେନ୍ସ ନଥିବା ସତ୍ତ୍ବେ ସେମାନେ ବାର୍ରେ ଡ୍ୟାନ୍ସ ଫ୍ଲୋର୍ ଚଳାଉଥିଲେ ।ସେହିପରି କଟକ ରୋଡ୍ରେ ଥିବା ସେଲ୍ଫି, ଅଶୋକା ଡ୍ୟାନ୍ସ ବାର୍ରେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରାଯାଇ ମାତ୍ରାଧିକ ଲୋକଙ୍କୁ ମଦ ପରସା ଯାଉଥିଲା । ସେହିପରି ଚନ୍ଦ୍ରଶେଖରପୁର ସ୍ଥିତ ଏମ୍ବାସି ଏବଂ ୟୁନିଟ୍-୮ସ୍ଥିତ ଅଜିତ୍ ବାର୍ରେ କୋଭିଡ ନିୟମ ଉଲ୍ଲଘଂନ କରାଯାଇ ବିଳମ୍ବିତ ରାତି ପର୍ୟ୍ୟନ୍ତ ବାର ଚାଲୁଥିଲା । ଏ ନେଇ ୪ଟି ବାର୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏଥିସହ ଏମାନଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହିତ ବିନା ଡ୍ୟାନ୍ସ ଲାଇସେନ୍ସରେ ଚାଲୁଥିବା ଲିଭ୍-ଇଟ୍ ଅପ୍, ନସା ଓ ଏକାମ୍ର ବାର୍ରେ ନାଚୁଥିବା ୧୫ରୁ ଊର୍ଦ୍ଧ୍ବ ବଙ୍ଗୀୟ ଯୁବତୀଙ୍କୁ ଅବକାରୀ ବିଭାଗର ଅଧିକାରୀମାନେ ପଚରାଉଚରା କରି ଛାଡ଼ିଦେଇଛନ୍ତି। ଚଢାଉରେ ଅବକାରୀ ଆଧିକାରୀଙ୍କ ସହ ପୋଲିସ ମଧ୍ୟ ସାମିଲ ହୋଇଥିଲା। ଏ ଘଟଣା ନେଇ ସେମାନଙ୍କୁ କିଏ ଆଗୁଆ ଫୋନ କରି ସୁଚନା ଦେଲା ବୋଲି ଚର୍ଚ୍ଚା ଜୋର ଧରିଛି ।




admin 