୪ରୁ କମ ବୟସର ଶିଶୁ ଥିଲେ ବାଇକ୍ ସ୍ପିଡ୍ ୪୦ ଟପିବନି
୪ରୁ କମ ବୟସର ଶିଶୁ ଥିଲେ ବାଇକ୍ ସ୍ପିଡ୍ ୪୦ ଟପିବନି
ନୂଆଦିଲ୍ଲୀ: ଦୁଇଚକିଆ ଯାନରେ ଶିଶୁଙ୍କ ନେଇ ଯାତ୍ରା କରୁଥିଲେ ଏଥର ସତର୍କ ହେବାକୁ ପଡ଼ିବ। ବାଇକ୍ର ବେଗ ଯେପରି ୪୦ ଟପିବନି ସେଥିପ୍ରତି ଧ୍ୟାନ ଦେବାକୁ ହେବ। ଚାଳକମାନଙ୍କ ଲାଗି ଏକ ଚିଠା ଗାଇଡ୍ଲାଇନ୍ ଜାରି କରାଯାଇଛି। ବାଇକ୍ରେ ଯଦି ୪ରୁ କମ୍ ବୟସର ଶିଶୁ ବସିଥିବେ ତେବେ କୌଣସି ପରିସ୍ଥିତିରେ ଗାଡ଼ିର ସ୍ପିଡ୍ (ବେଗ) ଘଣ୍ଟା ପିଛା ୪୦ କିମିରୁ ଅଧିକ ହେବ ନାହିଁ। ଶିଶୁମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ମୋଟରଯାନ ନିୟମର ଧାରା ୧୨୯ରେ ଏଥିପାଇଁ କେତେକ ସଂଶୋଧନ କରାଯାଇଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଚିଠା ଗାଇଡଲାଇନରୁ ଜଣାପଡ଼ିଛି ଯେ ୪ ବର୍ଷରୁ କମ୍ ବୟସ ଶିଶୁଙ୍କୁ ବାଇକରେ ନେବାକୁ ହେଲେ ସୁରକ୍ଷା ଉପକରଣ ବ୍ୟବହାର କରି ଚାଳକଙ୍କ ସହିତ ଶିଶୁଙ୍କୁ ଯୋଡ଼ିବାକୁ ପଡ଼ିବ। ଶିଶୁଙ୍କୁ ହେଲମେଟ ପିନ୍ଧାଇବାକୁ ହେବ । ୯ ମାସରୁ ଆରମ୍ଭ କରି ୪ ବର୍ଷ ବୟସର ଶିଶୁଙ୍କୁ ବାଇକରେ ନେବା ବେଳେ ସେମାନଙ୍କୁ ଏଭଳି ହେଲମେଟ ପିନ୍ଧାଇବାକୁ ପଡ଼ିବ ଯାହା ସେମାନଙ୍କ ମୁଣ୍ଡ ସହିତ ଠିକ୍ ଭାବେ ଫିଟ ହୋଇ ରହୁଥିବ ଓ ସେଥିରେ ବିଆଇଏସ ମାର୍କା ରହିଥିବ । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଛୋଟ ପିଲାଙ୍କ ହେଲମେଟ ହାଲୁକା ଓ ୱାଟରପ୍ରୁଫ୍ ହେବା ଦରକାର । ହେଭି ନାଇଲନ୍ ଅଥବା ମଲଟି ଫିଲାମେଟ୍ ନାଇଲନରେ ତାହା ତିଆରି ହୋଇଥିବା ଦରକାର ଓ ସେଥିରେ ମଜଭୁତ ଫୋମ୍ ଲଗାଇବା ଜରୁରୀ । ସୁରକ୍ଷା ଉପକରଣ ଏଭଳି ଶକ୍ତ ହେବା ଦରକାର ଯାହା ୩୦ କିଲୋ ପର୍ୟ୍ୟନ୍ତ ଓଜନର ଝଟକାକୁ ସହ୍ୟ କରିପାରିବ । ଏହି ଚିଠା ଗାଇଡଲାଇନ୍ ଉପରେ ସରକାର ଅଂଶୀଦାରମାନଙ୍କ ମତାମତ ଆହ୍ୱାନ କରିଛନ୍ତି । ମତାମତ ମିଳିବା ପରେ ସେଗୁଡ଼ିକୁ ବିଚାରକୁ ନେଇ ଗାଇଡଲାଇନକୁ ଚୂଡ଼ାନ୍ତ ରୂପ ପ୍ରଦାନ କରାଯିବ । ତାହାକୁ ସରକାର ମଞ୍ଜୁର କଲେ ତାହା ନିୟମରେ ପରିଣତ ହୋଇଯିବ । ଥରେ ଏହି ନିୟମ ଲାଗୁ ହେଲେ ଯେଉଁମାନେ ତାହାର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।




admin 