ମହାରାଷ୍ଟ୍ର ରାଜନୀତି : ଅକଳରେ କଂଗ୍ରେସ-ଏନସିପି

ମହାରାଷ୍ଟ୍ର ରାଜନୀତି : ଅକଳରେ କଂଗ୍ରେସ-ଏନସିପି

ମହାରାଷ୍ଟ୍ର ରାଜନୀତି : ଅକଳରେ କଂଗ୍ରେସ-ଏନସିପି
ଭୁବନେଶ୍ୱର : ତେଲେଙ୍ଗାନାର ୧୨ ଜଣ କଂଗ୍ରେସ ବିଧାୟକ ଟିଆରସିରେ ସାମିଲ ହୋଇଥିବା ବେଳେ ଏବେ ମହାରାଷ୍ଟ୍ରରେ ମଧ୍ୟ ଦଳ ପାଇଁ ବଡ଼ ସଙ୍କଟ ମୁଣ୍ଡ ଟେକିଲାଣି । ଲୋକସଭା ନିର୍ବାଚନରେ କଂଗ୍ରେସର ବଡ଼ ବିପର୍ଯ୍ୟୟ ରାଜ୍ୟରେ ଦଳକୁ ଦୋହଲାଇ ଦେଇଛି ଏବଂ ଉଭୟ କଂଗ୍ରେସ ଏବଂ ଏନସିପିର ଅନେକ ବିଧାୟକ ଏବେ ଦଳ ଛାଡ଼ିବା ଯୋଜନାରେ ରହିଛନ୍ତି । ଉଭୟ ଦଳର ୨୫ ଜଣ ବିଧାୟକ ବିଜେପି ସହ ଲଗାତର ସମ୍ପର୍କରେ ଅଛନ୍ତି ଏବଂ ଯେ କୌଣସି ସମୟରେ ସେମାନେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ମହାରାଷ୍ଟ୍ର ଜଳସମ୍ପଦ ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ବଡ଼ ଧରଣର ଦଳବଦଳ କଂଗ୍ରେସ-ଏନ୍ସିପିର ସଙ୍କଟକୁ ଆହୁରି ବଢ଼ାଇବ ବୋଲି ରାଜନୈତିକ ତଥ୍ୟଭିଜ୍ଞ ମହଲରେ ମତପ୍ରକାଶ ପାଇଛି । ମହାଜନ କହିଛନ୍ତି ଯେ କଂଗ୍ରେସ ଏବଂ ଏନ୍ସିପିର ଉକ୍ତ ୨୫ ବିଧାୟକ ମଧ୍ୟରୁ ଅଧିକାଶ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି ଏବଂ ଆଊ କେତେ ଜଣ ତୃତୀୟ ପକ୍ଷ ମାଧ୍ୟମରେ ଯୋଗସୂତ୍ର ରକ୍ଷା କରୁଛନ୍ତି । ସମସ୍ତେ ବିଜେପିରେ ଯୋଗ ଦେବାକୁ ଆଗ୍ରହୀ ବୋଲି ସେ କହିଛନ୍ତି । ରାଜ୍ୟ କଂଗ୍ରେସ ସଭାପତି ଅଶୋକ ଚୌହାନ ଏବଂ ରାଜ୍ୟରେ ବିଜେପି ସପକ୍ଷରେ ପ୍ରବଳ ଜନମତ ଥିବାରୁ ବିରୋଧୀ ଦଳର ବିଧାୟକମାନେ ଏବେ ବିଜେପିକୁ ଆସିବାକୁ ଆଗ୍ରହୀ ବୋଲି ମହାଜନ କହିଛନ୍ତି । ପୂର୍ବରୁ ପୌର ନିର୍ବାଚନ ଏବଂ ଲୋକସଭା ନିର୍ବାଚନରେ ବିଜେପିକୁ ବଡ଼ ସଫଳତା ମିଳିଥିବାରୁ ଏଭଳି ସ୍ଥିତି ଆସିଛି ବୋଲି ସେ କହିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଏନସିପି ମେଣ୍ଟ ୫୦ ରୁ ଅଧିକ ଆସନ ଜିତି ପାରିବ ନାହିଁ ବୋଲି ସେ କହିଛନ୍ତି । ମହାଜନ କହିଛନ୍ତି ଯେ ବରିଷ୍ଠ କଂଗ୍ରେସ ନେତା ରାଧାକୃଷ୍ଣ ଭିଖେ ପାଟିଲ ମୌସୁମୀ ଅଧିବେଶନ ପୂର୍ବରୁ ବିଜେପିରେ ସାମିଲ ହୋଇପାରନ୍ତି । ଆସନ୍ତାକାଲି ବିଜେପି ଅଧ୍ୟକ୍ଷ ଅମିତ ଶାହ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚଳାଇଛନ୍ତି ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସମେତ ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନେ ରହିବେ । ସୂଚନା ଯୋଗ୍ୟ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟର ୧୨୨ ଆସନ ଦାଖଲ କରିଥିବା ବେଳେ ମେଣ୍ଟ ସହଯୋଗୀ ଶିବସେନାକୁ ୬୩ ଆସନ ମିଳିଥିଲା । କଂଗ୍ରେସ ଓ ଏନସିପି ୪୧ଟି ଲେଖାଏଁ ଆସନରେ ବିଜୟୀ ହୋଇଥିଲେ ।