ଭୁବନେଶ୍ୱରରେ ହେବ ଆରଏସ୍ଏସ୍ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ

ଭୁବନେଶ୍ୱରରେ ହେବ ଆରଏସ୍ଏସ୍ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ

ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଆସନ୍ତା ଅକ୍ଟୋବର ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଆରଏସଏସ ମୁଖ୍ୟ ମୋହନ ଭାଗବତ ଏଥିରେ ଯୋଗ ଦେବେ । ସାମ୍ପ୍ରତିକ ପରିସ୍ଥିତିରେ ଆରଏସଏସର ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର କ୍ୟାମ୍ପସ-୨ ପ୍ରେକ୍ଷାଳୟରେ ହେବାକୁ ଥିବା ଏହି ବୈଠକ ପ୍ରଥମ ଦିନ ଅର୍ଥାତ ୧୫ ତାରିଖରେ ଆରଏସଏସର ସମସ୍ତ କର୍ମକର୍ତ୍ତା ଏଥିରେ ଯୋଗ ଦେବେ । ୧୬ ତାରିଖ କେବଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ବୈଠକ ହେବ । ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ଅଖିଳ ଭାରତୀୟ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଚାଲିବ । ଧାରା ୩୭୦ ଓ ତିନି ତଲାକର ଉଚ୍ଛେଦ, ବିଶ୍ୱ ତାପନ ଆଗାମୀ ବିଧାନସଭା ନିର୍ବାଚନ, ଜାତୀୟ ନାଗରିକ ରେଜିଷ୍ଟର ଓ ରାମ ମନ୍ଦିର ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବୈଠକ ପୂର୍ବରୁ ଅର୍ଥାତ ଆସନ୍ତା ୧୨ ତାରିଖରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଭୁବନେଶ୍ୱର ଆସିବେ । ସେହିଦିନ ଠାରୁ ସେ ୨୦ ତାରିଖ ପର୍ଯ୍ୟନ୍ତ ଏଠାରେ ରହିବେ । ଏହି ବୈଠକ ପାଇଁ ବିଜେପି ଓ ଆରଏସଏସ ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆରଏସଏସର ଓଡ଼ିଶା ଶାଖା କର୍ମକର୍ତ୍ତାମାନେ ଏହି ବୈଠକକୁ ସଫଳ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ।