ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବ ବିଜେଡି
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବ ବିଜେଡି
admin
Oct 11, 2019 - 07:05
Updated: Oct 11, 2019 - 07:05
ଭୁବନେଶ୍ୱର : ଆସନ୍ତା ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିବସ ପାଳନ କରାଯିବ । ଏହି ଉପଲକ୍ଷେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରିବ । ଦଳ ଗୋଟିଏ ଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଆଜି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦିଆଯାଇଛି । ଜନ୍ମଦିନରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ନିଜେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବେ ବୋଲି ଦଳ କହିଛି ।
ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସାଧାରଣ ସମ୍ପାଦକ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ବିଗତ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବରେ ବିଜେଡି ଓଡ଼ିଶାବାସୀଙ୍କ ସେବା କରି ଆସୁଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୯୯ତମ ଜୟନ୍ତୀ ପାଳନ ଅବସରରେ ୨୦୧୫ ମସିହା ମାର୍ଚ୍ଚ ୫ ତାରିଖରେ ଦଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା । ରାଜ୍ୟ ଅଗଣିତ ଛାତ୍ର, ଯୁବକ, ମହିଳା, ଶ୍ରମିକ କୃଷକ, ସଂଖ୍ୟାଲଘୁ, ଆଇନଜୀବୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବିଜେଡିର ଶୁଭେଚ୍ଛୁ ଓ ଜନସାଧାରଣଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ବର୍ଷତମାମ ଚାଲୁଛି । ପ୍ରତି ଜିଲ୍ଲା, ବ୍ଲକ ସହରାଞ୍ଚଳ ଓ ପଞ୍ଚାୟତରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇ ଏବେ ସୁଦ୍ଧା ୩ ଲକ୍ଷ ୮ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଆବଶ୍ୟକ ସମୟରେ ଏହି ରକ୍ତକୁ ଜୀବନ ବଞ୍ଚାଇବା ପାଇଁ ଯୋଗାଇ ଦିଆଯାଇଛି । ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଏକ ଗଣ ଆନେ୍ଦାଳନରେ ପରିଣତ କରିବାକୁ ବିଜେଡି ନିରନ୍ତର ପ୍ରୟାସ ଜାରି ରଖିଛି ।
ଶ୍ରୀ ସାମନ୍ତରାୟ କହିଥିଲେ, ଏହି କାର୍ଯ୍ୟକ୍ରମରେ ସଫଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟର ୫୯ଟି ପ୍ରମୁଖ ସ୍ଥାନରେ ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରକ୍ତଦାତାଙ୍କ ଗହଣରେ ନିଜର ଜନ୍ମଦିନ ପାଳିବେ ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଦଳର ସାଧାରଣ ସମ୍ପାଦକ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।