ବାଦାମ ବାଦାମରେ ସବୁ ଝୁମୁଛନ୍ତି
ବାଦାମ ବାଦାମରେ ସବୁ ଝୁମୁଛନ୍ତି
ଭୁବନେଶ୍ୱର: ବାଦାମ୍..ବାଦାମ୍..କଚ୍ଚା ବାଦାମ..ବାଦାମ୍..ବାଦାମ୍..ଭଜା ବାଦାମ । ଏଭଳି ଏକ ବେଙ୍ଗଲୀ ଗୀତ ଏବେ ଟ୍ରେଣ୍ଡରେ । ଫେସବୁକ୍, ୟୁଟୁ୍ୟବ୍, ଇନଷ୍ଟାଗ୍ରାମ ଖୋଲିଲା ମାତ୍ରେ ଏହି ଗୀତରେ ବିଭିନ୍ନ ଲୋକଙ୍କ ନୃତ୍ୟ ଦେଖିବାକୁ ମିଳୁଛି । ସେଲିବ୍ରିଟି ଠାରୁ ଇନଷ୍ଟା ଷ୍ଟାର ଏବଂ ସାଧାରଣ ଲୋକ ସମସ୍ତେ ଏହି ଗୀତରେ ଝୁମୁଛନ୍ତି । ଯାହାକୁ ଦେଖିବେ ସେ ଏହି ଗୀତର ତାଳେ ତାଳେ ନିଜର ସ୍ୱତନ୍ତ୍ର ନୃତ୍ୟ ଷ୍ଟେପ କରୁଥିବା ଦେଖିବାକୁ ମିଳିଛି । ଏଲି, ପୁପୁଲ, ଦେବୀକା, ପ୍ରିୟଙ୍କା ପାଣିଗ୍ରାହୀ ଓ ସୁନ୍ଦରୀ କୁକିଜଙ୍କ ଭଳି ନୂଆ ପିଢ଼ିର ଓଡ଼ିଆ ଅଭିନେତ୍ରୀ ଏହି ଗୀତରେ ନାଚିଥିଲା ବେଳେ ଓଡିଆରେ ଗୋଟିଏ ମୁ୍ୟଜିକ୍ ଭିଡିଓ ‘କଞ୍ଚା ବାଦାମ’ ମଧ୍ୟ ୟୁଟୁ୍ୟବରେ ବେଶ୍ ଭାଇରାଲ ହୋିଛି । ସେଥିରେ ବି ମୂଳ ଗୀତର କିଛି ଅଂଶକୁ ରଖାଯାଇଛି। ଅଭିଜିତ ମଜୁମଦାର ଗାଇଛନ୍ତି ‘କଞ୍ଚା ବାଦାମ’ । କୁକିଜଙ୍କ ଡ୍ୟାନ୍ସ ଷ୍ଟେପ ଓ ଷ୍ଟାଇଲକୁ ବେଶ ପ୍ରସଂଶା ମିଳିଛି ସୋସିଆଲ ମିଡିଆରେ।
ମୂଳ କଚ୍ଚା ବାଦାମ ଗୀତକୁ କୌଣସି କଣ୍ଠଶିଳ୍ପୀ ଗାଇ ନାହାଁନ୍ତି । ପଶ୍ଚିମବଙ୍ଗର ଜଣେ ସାଧାରଣ ବାଦାମ ବିକାଳୀଙ୍କ ଏହା ନିଜସ୍ୱ ଗୀତ । ଯାହାଙ୍କ ନାମ ହେଉଛି ଭୁବନ ବିଦ୍ୟାକର । ଭୁବନ ପିଲାଦିନୁ କଣ୍ଠଶିଳ୍ପୀ ହେବାକୁ ଇଚ୍ଛା କରିଥିଲେ । ହେଲେ ପାରିବାରିକ ସମସ୍ୟା ଓ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସେ ନିଜ ସ୍ୱପ୍ନ ପୂରଣ କରିପାରିନଥିଲେ । ଗାଁ ଗାଁ ବୁଲି ବାଦାମ ବିକ୍ରି କରିବା ବେଳେ ନିଜେ ପ୍ରସ୍ତୁତ କରିଥିବା ଏହି ବାଦାମ ଗୀତ ଗାଈ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ଏହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ତାଙ୍କର ଏହି ଗୀତ ଗାଇବା ଓ ବାଦାମ ବିକ୍ରି କରିବା ଭିଡିଓ କେହି ଜଣେ ଇନଷ୍ଟାଗ୍ରାମରେ ଭାଇରାଲ କରିଥିଲେ । ଯାହା ବାଂଲାଦେଶରେ ପ୍ରଥମେ ଭାଇରାଲ ହୋଇଥିଲା ।
ଭୁବନଙ୍କ ଗୀତକୁ କେହି ଜଣେ ରିମିକ୍ସ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏବେ ଏହି ଗୀତରେ ସମସ୍ତେ ନିଜର ସ୍ୱତନ୍ତ୍ର ଡ୍ୟାନ୍ସ ଷ୍ଟେପର ଜଲୱା ଦେଖାଉଛନ୍ତି । ଏହି ଗୀତ ଭାରରାଲ ହେବା ସହ ଭୁବନଙ୍କ ସ୍ୱପ୍ନ ପୂରଣ ହୋଇଛି । ତାଙ୍କ ଗୀତକୁ ନେଇ ଏକ ର୍ୟାପ ଗୀତ କରାଯାଇଛି । ଯାହାକୁ ମାସକ ମଧ୍ୟରେ ୩୦ମିଲିୟନରୁ ଅଧିକ ଦର୍ଶକ ଦେଖିଛନ୍ତି । ଏଥିରେ ଭୁବନ ଗୀତ ଗାଇବା ସହ ଅଭିନୟ ମଧ୍ୟ କରିଛନ୍ତି ।




admin 