ଫିଫା ବିଶ୍ବକପ : ଆଜି ବ୍ରାଜିଲ-କ୍ରୋଏସିଆ ମୁହାଁମୁହିଁ
ଫିଫା ବିଶ୍ବକପ : ଆଜି ବ୍ରାଜିଲ-କ୍ରୋଏସିଆ ମୁହାଁମୁହିଁ
ଦୋହା : ଫିଫା ବିଶ୍ବକପର ୨୨ତମ ସଂସ୍କରଣ ଏବେ କ୍ବାର୍ଟର ଫାଇନାଲ ପର୍ୟ୍ୟାୟରେ ପହଞ୍ଚିଛି। ପ୍ରଥମ କ୍ବାର୍ଟର ଫାଇନାଲରେ ଆଜି ବ୍ରାଜିଲ ଓ କ୍ରୋଏସିଆ ମୁହାଁମୁହିଁ ହେବେ। ବ୍ରାଜିଲ ବିଶ୍ବକପରେ ସର୍ବାଧିକ ୫ଥର ଟ୍ରଫି ଜିତିଥିବାବେଳେ କ୍ରୋଏସିଆ ଏପର୍ୟ୍ୟନ୍ତ ଏହି ଟ୍ରଫି ହାସଲରୁ ଦୂରରେ ରହିଛି। ବ୍ରାଜିଲ ନିକଟରେ ୬ଷ୍ଠ ଥର ପାଇଁ ଟାଇଟଲ ଜିତିବାର ସୁଯୋଗ ଏବେ ଉପନୀତ ହୋଇଛି। ବ୍ରାଜିଲ ଲିଗ୍ରେ ୨-୦ଗୋଲରେ ସର୍ବିଆ ଓ ୧-୦ ଗୋଲରେ ସ୍ବିଜରଲାଣ୍ଡ୍ସକୁ ପରାସ୍ତ କରିଥିବାବେଳେ କାମେରୁନ ନିକଟରୁ ୦-୧ ଗୋଲରେ ପରାଜିତ ହୋଇଥିଲା। ଦଳ ପ୍ରିକ୍ବାର୍ଟରରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଛି। ରିଚିର୍ଲିନସ, ନୈମାର ଜୁନିୟର ,କାସମିରୋ,ଭିନିସିୟସଙ୍କ ଭଳି ତାରକା ଖେଳାଳି ଭଲ ଫର୍ମରେ ରହିଛନ୍ତି। ଦକ୍ଷିଣ କୋରିଆ ବିପକ୍ଷରେ ଦଳର ରଣକୌଶଳ ଓ ଟେକ୍ନିକ ବେଶ ପ୍ରଶଂସନୀୟ ରହିଥିଲା। କ୍ରୋଏସିଆ ବିପକ୍ଷରେ ବିଜୟ ନେଇ ଆଶାବାଦୀ ବୋଲି ମୁଖ୍ୟ ପ୍ରଶିକ୍ଷକ ଟେଟେ କହିଛନ୍ତି।
୨୦୧୮ ଉପ ବିଜେତା କ୍ରୋଏସିଆ ଚମତ୍କାର ପ୍ରଦର୍ଶନ କରି ଏବେ କ୍ବାର୍ଟର ଫାଇନାଲରେ ପହଞ୍ଚିଛି। ଦଳ କାନାଡାକୁ ୪-୧ ଗୋଲରେ ପରାସ୍ତ କରିଥିବାବେଳେ ବେଲଜିୟମ ଓ ମରୋକ୍କୋ ସହ ମ୍ୟାଚ ଡ୍ର ରଖିଥିଲା। ପ୍ରିକ୍ବାର୍ଟରରେ ଜାପାନକୁ ପେନାଲ୍ଟି ସୁଟ୍ଆଉଟରେ ହରାଇ କ୍ବାର୍ଟରରେ ପହଞ୍ଚିଛି। ଅଧିନାୟକ ଲୁକା ମୋଡ୍ରିକ୍ଙ୍କ ନେତୃତ୍ବାଧିନ ଓ ପ୍ରଶିକ୍ଷକ ଜ୍ୟାଟକୋ ଡେଲିସଙ୍କ ରଣନୀତି ଉପରେ ନଜର ରହିବ। କ୍ରୋଏସିଆକୁ ବ୍ରାଜିଲ ବିପକ୍ଷରେ ଜିତିବାକୁ ହେଲେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ଉକ୍ତ ମ୍ୟାଚ ମୁଖ୍ୟତଃ ଲୁକା ମାଡ୍ରିକ୍ ଓ ନୈମାର ଜୁନିୟର ମଧ୍ୟରେ ଲଢେଇ ହେବା ଆଶା କରାଯାଉଛି। କ୍ରୋଏସିଆ ୨୦୧୮ ବିଶ୍ବକପର ଶେଷ ୩ଟି ନକ୍ଆଉଟ୍ ମ୍ୟାଚରେ ପେନାଲ୍ଟି ସୁଟ୍ଆଉଟ୍ରେ ଜିତିିଥିଲା। ଚଳିତ ବିଶ୍ବକପର ପ୍ରିକ୍ବାର୍ଟରରେ ମଧ୍ୟ ଜାପାନ ବିପକ୍ଷରେ ପେନାଲ୍ଟି ସୁଟ୍ଆଉଟ୍ରେ ବିଜୟୀ ହୋଇଛି। ମ୍ୟାଚ ପେନାଲ୍ଟି ସୁଟ୍ଆଉଟକୁ ଗଲେ କ୍ରୋଏସିଆ ସପକ୍ଷରେ ନିଶ୍ଚିତ ରହିବା ନେଇ ଆଶା କରାଯାଉଛି। ବ୍ରାଜିଲ ଓ କ୍ରୋଏସିଆ ବିଶ୍ବକପରେ ଦୁଇଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ବ୍ରାଜିଲ ଦୁଇଟି ଯାକ ମ୍ୟାଚ ୨୦୦୬ରେ ୧-୦ ଗୋଲ ଓ ୨୦୧୪ରେ ୩-୧ ଗୋଲରେ ବିଜୟୀ ହୋଇଥିଲା। ପ୍ରଥମ ଥର ପାଇଁ ଦୁଇ ଦଳ ବିଶ୍ବକପର ନକ୍ଆଉଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।




admin 