ପ୍ରତିଷ୍ଠିତ ସାହିତ୍ୟିକ ଓ ଲେଖକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ପରଲୋକ

ପ୍ରତିଷ୍ଠିତ ସାହିତ୍ୟିକ ଓ ଲେଖକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ପରଲୋକ

ସମ୍ବଲପୁର: ପ୍ରତିଷ୍ଠିତ ଲେଖକ,  ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ଥିଲେ। ପରଲୋକ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସମ୍ବଲପୁର ଜିଲ୍ଲା ମୋ ନଶ୍ବର ବ୍ଲକ୍ ବାରଡୁଙ୍ଗୁରୀସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ, ଆଦର୍ଶ ଶିକ୍ଷକ ଭାବରେ ସେ ସୋରା ଓଡ଼ିଶାରେ ପରିଚିତ। ତାଙ୍କ ଦ୍ବାରା ଲିଖିତ ନାଟକ ‘ଭୂଖା’କୁ ପରବର୍ତ୍ତୀ ଚଳଚ୍ଚିତ୍ରର ରୂପ ନେଇଥିଲା। ଏହା ଜାତୀୟ ପୁରସ୍କାର ମଧ୍ୟ ହାରସଲ କରିଥିଲା। ମେ ୪ ତାରିଖ ୧୯୩୪ରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ବିଶ୍ବାଳ ଏକାଧିକ ନାଟକ, କବିତା ଓ ଗପ ରଚନା କରି ଉଭୟ ଓଡ଼ିଆ ଓ ସମ୍ବଲପୁର ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ପ୍ରମୁଖ ସାହିତ୍ୟକୃତି ମଧ୍ୟରେ ଜୀବନୀ ପୁସ୍ତକ ହଜିଲା ଦିନ, କବିତା ପୁସ୍ତକ ଦରିଆ ପାରିର କବିତା, ମନୋଲୀନା, ପାଉଁଶ ତଳର ନିଆଁ, ଗଳ୍ପ ସଂକଳନ ଅସ୍ତରାଗର କବି, ନାଟକ ଉଡ୍‌ଲା ପତର୍‌ ବୁଡ୍‌ଲା ଡଙ୍ଗା, ହତରିଆର ଭୂତିଆର୍‌, ସୁନ୍ଦର ସାଏ, ବରୁଆ, ଛଇଲି, ଉଲ୍‌ଗୁଲାନ୍‌, ମା’ ସମଲେଇ ପ୍ରମୁଖ ପାଠକଙ୍କ ମହଲରେ ବେସ୍‌ ଆଦୃତ ଥିଲା। ସେ ମଧ୍ୟ ରାଷ୍ଟପତି ପୁରସ୍କୃତ ଶିକ୍ଷକ ଥିଲେ। ତାଙ୍କ ସାହିତ୍ୟ କୃତି ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡିଲିଟ୍ ଉପାଧି ଦିଆଯାଇଛି। ଏତଦ୍‌ବ୍ୟତୀତ ଭରତ ଚନ୍ଦ୍ର ସ୍ମୃତି ସମ୍ମାନ, ବାଲେଶ୍ବର ଫକିର ମୋହନ ସମ୍ମାନ ପାଇଛନ୍ତି। ପଦ୍ମାଶ୍ରୀ ପାଇଁ ବିଭିନ୍ନ ମହଲରୁ ଦାବି କରାଯାଉଛି। ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।