ପୁଣି ବନ୍ୟା ଆଶଙ୍କା, ଏହି ଦୁଇ ଜିଲ୍ଲାକୁ ଆଲର୍ଟ
ପୁଣି ବନ୍ୟା ଆଶଙ୍କା, ଏହି ଦୁଇ ଜିଲ୍ଲାକୁ ଆଲର୍ଟ
ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ଆସିବ ବଡ଼ ବନ୍ୟା । ଝାଡ଼ଖଣ୍ଡ ଗାଲୁଡିହର ୧୬ଟି ଗେଟ ଖୋଲାଯିବା ଫଳରେ ୪.୨୫ ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ଫଳରେ ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆଲର୍ଟରେ ରହିବାକୁ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।
ଘଟଣାସ୍ଥଳକୁ ଅତିରିକ୍ତ ଦୁଇ ଏନଡିଆରଏଫ, ୨ ଓଡ୍ରାଫ୍, ୮ଟି ଫାୟାର ସର୍ଭିସ ଟିମ ପଠାଯାଇଛି । ଭୋଗରାଇ, ବାଲିଆପାଳ ଓ ବସ୍ତାର ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ଏଥିସହ ୪ରୁ ୫ଟି ଅତିରିକ୍ତ ଟିମ୍ ଯାଜପୁର ଏବଂ ଭଦ୍ରକକୁ ସକାଳ ହେବା ପୂର୍ବରୁ ପଠାଇବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୁଢାବଳଙ୍ଗ। ବିପଦ ସଙ୍କେତ ୫.୫୦ମିଟର ଥିଲା ବେଳେ ବାଲେଶ୍ବରର ବସ୍ତା ମଥାନୀ ଠାରେ ସକାଳ ୬ ଟା ସୁଦ୍ଧା ୬.୯୦ ମିଟରରେ ଜଳ ପ୍ରବାହିତ ହେଉଛି। ବାଲେଶ୍ବର ବୁଢାବଳଙ୍ଗ ନଦୀର ପୁଟୁକାଶାସନ ଦୁର୍ବଳ ନଦୀବନ୍ଧକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ଅଧା ବନ୍ଧ ଧସିଥିବାରୁ ମରାମତି ନିର୍ଦ୍ଦେଶ ଦିଆଯାଇଛି । ୪ ଘଣ୍ଟା ଧରି ବୁଢାବଳଙ୍ଗ ନଦୀର ଜଳସ୍ତର ସ୍ଥିର ରହିଛି। ମୟୂରଭଞ୍ଜର ବାରିପଦା ନିକଟରେ ଜଳସ୍ତର କମିବା ଆରମ୍ଭ ହୋଇଛି। ରାତି ଭିତରେ ବାଲେଶ୍ବରରେ ବୁଢାବଳଙ୍ଗ ନଦୀର ଜଳସ୍ତର କମିବା ନେଇ ଅନୁମାନ କରୁଛି ଜଳସେଚନ ବିଭାଗ। ସୁବର୍ଣ୍ଣରେଖା ନଦୀ ବାଲେଶ୍ବର ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଭାସ ପ୍ରଧାନ।




admin 