କଂଗ୍ରେସକୁ ବଡ଼ ଝଟ୍କା
କଂଗ୍ରେସକୁ ବଡ଼ ଝଟ୍କା
ଭୁବନେଶ୍ବର : କଂଗ୍ରେସ ଦଳକୁ ବଡ଼ ଝଟ୍କା ଲାଗିଛି। ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ଅନିତା ନାୟକଙ୍କ ସମେତ ୧୫ଜଣ କଂଗ୍ରେସ କର୍ମୀ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଶ୍ରୀମତୀ ନାୟକ ନିଜର ଇସ୍ତଫା ପତ୍ରକୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ପାଖକୁ ପଠାଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦୁଇ ପ୍ରଭାରୀ ଦଳକୁ ଦୁର୍ବଳ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ରାଜଧାନୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ନାୟକ କହିଛନ୍ତି ଯେ କଂଗ୍ରେସ ଦଳ ଆଗକୁ ବଢ଼ିବା ଭଳି କୌଣସି କାର୍ୟ୍ୟ କରୁନାହିଁ। ପ୍ରତିଦ୍ବନ୍ଦୀ ବିଜେଡିର କୁଶାସନ, ଦୁର୍ନୀତି, ଜନସ୍ବାର୍ଥ ବିରୋଧୀ ନୀତି ବିରୋଧରେ ଯେପରି ଆନ୍ଦୋଳନାତ୍ମକ କାର୍ୟ୍ୟ କରିବା କଥା ତାହା ହେଉନାହିଁ। ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲାକୁମାର ଓ ସହ ପ୍ରଭାରୀ ଜି.ରୁଦ୍ର ରାଜୁ କେବଳ ଲୋକ ଦେଖାଣିଆଭାବେ କାର୍ୟ୍ୟକ୍ରମ କରୁଛନ୍ତି। ଚଳିତମାସ ୭ତାରିଖରେ ପ୍ରଭାରୀ ଚେଲାକୁମାର ଗୋଟିଏ କାର୍ୟ୍ୟକ୍ରମ ପାଇଁ ଓଡ଼ିଶା ଆସିଥିବା ବେଳେ ପରବର୍ତୀ ସମୟରେ ପଦଯାତ୍ରାରେ ସାମିଲ୍ ହୋଇ ନାହାନ୍ତି। ଦଳରୁ ଗସ୍ତ ଖର୍ଚ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଥିଲେ ହେଁ ପ୍ରଭାରୀ ଦ୍ବୟ ଦଳକୁ ଭାଙ୍ଗିବାର କାର୍ୟ୍ୟ କରୁଥିବା କଂଗ୍ରେସ କର୍ମୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଦଳରେ ଛାତ୍ର/ଯୁବକ, ମହିଳା ଓ ସେବା ଦଳର ଗୁରୁତ୍ବ ନାହିଁ। ଏପରିକି କଂଗ୍ରେସ ଦଳ ଯେଉଁଠାରେ ସୁଦୃଢ଼ ଅଛି ସେଠାର ସଂଗଠନକୁ ବିଭିନ୍ନ ଆଳ ଦେଖାଇ ପିସିସି ସଭାପତି ଶରତ ପଟ୍ଟନାୟକ ଭାଙ୍ଗି ଦେଉଛନ୍ତି। ଦଳ ଛାଡ଼ିଥିବା ବ୍ୟକ୍ତିଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ମନୋରଂଜନ ନାୟକ, ଇସରତ ଜାହାନ, ଗାୟତ୍ରୀ ଶର୍ମା, ମନୋରଂଜନ ସାହୁ, ସୌମ୍ୟରଂଜନ ଗୋଚ୍ଛାୟତ, ବିଶ୍ବଜିତ ସାହୁ ଓ ମନୋରମା ପଣ୍ଡା ପ୍ରମୁଖ ରହିଛନ୍ତି।
ଉଲ୍ଲେଖ ଯେ ଗତ କିଛିଦିନ ହେବ କଂଗ୍ରେସ କର୍ମୀଙ୍କ ଦଳ ଛାଡ଼ିବା ପ୍ରକ୍ରିୟା ଜାରି ରହିଛି। କଟକର ଏକାଧିକ ନେତୃମଣ୍ଡଳୀ ଦଳ ଛାଡ଼ିଛନ୍ତି। ଏହାସହ କଟକ ଜିଲ୍ଲାର ସମସ୍ତ ଦଳୀୟ କମିଟିକୁ ଭାଙ୍ଗି ଦିଆଯାଇଛି। ବିଧାୟକ ମହମ୍ମଦ ମୋକିମ୍ ଓ ସଭାପତି ଶରତ ପଟ୍ଟନାୟକଙ୍କ ମଧ୍ୟରେ ଏକପ୍ରକାର ଶୀତଳ ଯୁଦ୍ଧ ଚାଲିଥିବା ଚର୍ଚା ହେଉଛି।




admin 