ପାଲଗଡ ସାଧୁହତ୍ୟା ମାମଲା : ଆଉ ୨୪ ଜଣଙ୍କୁ ଗିରଫ କଲା ସିଆଇଡି
ପାଲଗଡ ସାଧୁହତ୍ୟା ମାମଲା : ଆଉ ୨୪ ଜଣଙ୍କୁ ଗିରଫ କଲା ସିଆଇଡି
admin
Oct 22, 2020 - 05:31
Updated: Oct 22, 2020 - 05:31
ମୁମ୍ବାଇ : ପାଲଗଡ ସାଧୁ ହତ୍ୟା ମାମଲାରେ ଆଉ ୨୪ ଜଣଙ୍କୁ ଗିରଫ କରିଛି ମହାରାଷ୍ଟ୍ର ସିଆଇଡି । ପାଲଗଡର ଗଡଚିଞ୍ଚାଲେରେ ଘଟିଥିବା ଏହି ବର୍ବର କାଣ୍ଡରେ ପୂର୍ବରୁ ପୋଲିସ ଦ୍ୱାରା ୧୨୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସିଆଇଡି ପକ୍ଷରୁ ୨୦୮ ଜଣଙ୍କୁ ଗିରଫ କରାଯାଇଥିଲା । ନୂତନ ଭାବରେ୨୪ ଜଣଙ୍କୁ ଗିରଫ କରାଯିବା ପରେ ସମୁଦାୟ ଅଭିଯୁକ୍ତଙ୍କ ସଂଖ୍ୟା ବର୍ତ୍ତମାନ ୩୬୬ରେ ପହଞ୍ଚିଛି । ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା କାଲି ଦହୁନୁ କୋର୍ଟରେ ହାଜର କରାଯିବ ବୋଲି ସିଆଇଡି ମୁଖପାତ୍ର ଅମୃତ ଅଧିକାରୀ ପ୍ରକାଶ କରିଛନ୍ତି । ସେହିପରି ଏହି ମାମଲାରେ ସମୁଦାୟ ୧୧ ଜଣ ନାବାଳକଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରୁ ୬୨ ଜଣ ଜାମିନ ଆବେଦନ କରିଥିବା ବେଳେ ଥାନେ ସେସନ୍ସ କୋର୍ଟରେ ଆଜି ଉକ୍ତ ମାମଲାର ଶୁଣାଣି କରାଯିବ । ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ ଚାଲିଥିବା ସମୟରେ ଜୁନା ଆଖଡାର କଳ୍ପଭ୍ରିକ୍ଷାଗିରି ମହାରାଜ(୭୦) , ସୁଶୀଳଗିରି ମହାରାଜ(୩୫) ଏବଂ ଡ୍ରାଇଭର ନୀଲେଶ ତେଲଗାଡେ(୩୦) ସୁରଟ ଯାଉଥିବା ବେଳେ ପିଲା ଚୋର ଗୁଜବ କାରଣରୁ ଭିଡ ହିଂସାର ଶିକାର ହୋଇ ପ୍ରାଣ ହରାଇଥିଲେ । ଏପରିକି ପୋଲିସ ସାଧୁମାନଙ୍କୁ ଭିଡ ହାତକୁ ଟେକି ଦେଇଥିଲେ । ଏହି ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ମାମଲାର ତଦନ୍ତ ଭାର ସିଆଇଡି ହାତକୁ ଯାଇଥିଲା ।