ସବୁ ପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ
ସବୁ ପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ
admin
Nov 24, 2019 - 07:09
Updated: Nov 24, 2019 - 07:09
ନୂଆଦିଲ୍ଲୀ : ମହାରାଷ୍ଟ୍ର ମହାନାଟକର ଯବନିକା ପଡ଼ିବାର ନାଁ ଧରୁନାହିଁ । ସୁପ୍ରିମକୋର୍ଟରେ ଆଜି ଏହି ମାମଲାର ଶୁଣାଣୀ ହୋଇଥିବାବେଳେ ସୁପ୍ରିମକୋର୍ଟ ସବୁ ପକ୍ଷଙ୍କୁ ନୋଟିସ କରିଛନ୍ତି । ଆସନ୍ତାକାଲି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ । ସୁପ୍ରିମକୋର୍ଟରେ ତିନି ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ମାମଲାର ଶୁଣାଣୀ କରିଥିଲେ । ଜଷ୍ଟିସ ଏନଭି ରମାନା, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଂଜୀବ ଖାନା ଏହାର ଶୁଣାଣୀ କରିଥିଲେ ।
ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ଆଇନଜୀବୀ କପିଳ ଶିବଲ ଶିବସେନା ପକ୍ଷରୁ ଯୁକ୍ତି ବାଢ଼ିଥିଲେ । ଶିବସେନା ଓ ବିଜେପି ମଧ୍ୟରେ ଥିବା ପ୍ରାକ ନିର୍ବାଚନୀ ମେଂଟ ଭାଙ୍ଗିଯାଇଛି । ଯଦି ଫଡ଼ନାଭିସ ସରକାରଙ୍କ ନିକଟରେ ବହୁମତ ରହିଛି ତେବେ ଆଜି ହିଁ ସେମାନେ ବହୁମତ ପରୀକ୍ଷା ଦିଅନ୍ତୁ ବୋଲି ଶିବଲ କହିଥିଲେ । ସେହିପରି ବିଜେପି ସରକାର ଗଠନ ପାଇଁ ଦାବି କରିଛି ବୋଲି କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ କିମ୍ବା ରାଜ୍ୟପାଳ ବି ଏସମ୍ପର୍କରେ କହିନାହାନ୍ତି । ନଭେମ୍ବର ୨୨ ସଂଧ୍ୟା ୭ଟାରୁ ନଭେମ୍ବର ୨୩ ସକାଳ ୫ଟା ଭିତରେ କ’ଣ ଘଟିଗଲା ତାହା ରହସ୍ୟ ଘେରରେ ରହିଛି ବୋଲି ଶିବଲ କହିଥିଲେ ।
ତେବେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ଖଣ୍ଡପୀଠଙ୍କୁ କହିଥିଲେଯେ, ଶିବସେନା ନେତୃତ୍ୱାଧୀନ ମେଂଟ ଏନେଇ ସୁପ୍ରିମକୋର୍ଟରେ ନୁହେଁ, ପ୍ରଥମେ ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିବା କଥା ।
ଅପରପକ୍ଷରେ ଏନସିପି-କଂଗ୍ରେସ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅଭିଷେକ ମନୁ ସିଂହଭୀ କହିଲେଯେ, ଏନସିପିର ୫୪ ବିଧାୟକଙ୍କ ମଧ୍ୟରୁ ୪୧ ଜଣ ବିଧାୟକ ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି । ଅଜିତ ପାୱାରଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇବା ପାଇଁ ସେମାନେ ଲେଖିଛନ୍ତି । ଏନସିପି ନିଜର ବିଧାୟକ ଦଳ ନେତା ବି ଚୟନ କରିସାରିଛି । ନଭେମ୍ବର ୩୦ ପର୍ଯ୍ୟନ୍ତ ଆସ୍ଥା ପରୀକ୍ଷା ପାଇଁ ସୁଯୋଗ ଦେଲେ ଘୋଡ଼ା ବେପାରର ଆଶଙ୍କା ରହିଛି । ଅତୀତରେ ସୁପ୍ରିମକୋର୍ଟ ଉତରପ୍ରଦେଶ ଓ କର୍ଣ୍ଣାଟକରେ ସାଙ୍ଗେସାଙ୍ଗେ ଆସ୍ଥା ପରୀକ୍ଷା ପାଇଁ ନିଦେ୍ର୍ଧଶ ଦେଇଥିଲେ । ତେଣୁ ଆଜି କିମ୍ବା ଆସନ୍ତାକାଲି ଆସ୍ଥା ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହେବା ସହ ଉଭୟ ଉଦ୍ଧବ ଠାକରେ ଓ ଫଡ଼ନାଭିସଙ୍କୁ ବହୁମତ ସାବ୍ୟସ୍ତ ପାଇଁ ସୁଯୋଗ ଦିଆଯାଉ ବୋଲି ସିଂହଭୀ କହିଥିଲେ ।
ବିଳମ୍ବିତ ରାତିରେ ବିଜେପି ଗୋଟି ଚାଳନା କରି କ୍ଷମତା ହାସଲ କରିଥିବାବେଳେ ଏନସିପି, କଂଗ୍ରେସ ଓ ଶିବସେନା ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ ଦାଖଲ କରାଯାଇଥିଲା । ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତିକୁ ଚ୍ୟାଲେଂଜ କରି ତିନି ଦଳ ପିଟିସନ ଦାଖଲ କରିଥିଲେ । ୨୪ ଘଂଟା ମଧ୍ୟରେ ଫଡ଼ନାଭିସ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ନିଦେ୍ର୍ଧଶ ଦେବା ପାଇଁ ତିନି ଦଳ ଫେରାଦ ହୋଇଛନ୍ତି ।
ସୂଚନାଯୋଗ୍ୟଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାଭିସ ଶପଥ ନେଇ ସାରିଥିବାବେଳେ ଆସନ୍ତା ୩୦ରେ ବିଧାନସଭାରେ ବହୁମତର ପରୀକ୍ଷା ଦେବା ପାଇଁ ଧାର୍ଯ୍ୟ କରାଯାଇଥିଲା । ଗୋଟିଏ ପଟେ ଏନସିପି ସହ ମେଂଟ ସରକାର ହୋଇଛି ବୋଲି ବିଜେପି ଦାବି କରିଥିଲେ ବି ଏନସିପି ବିଧାୟକମାନେ ଶରଦ ପାୱାରଙ୍କ ସହ ରହିଥିବା ଜାଣିବାକୁ ମିଳିଛି । ଏମିତିକି ଅଜିତ ପାୱାରଙ୍କ ସହ ରାଜଭବନ ଯାଇଥିବା କେତେକ ବିଧାୟକ ଶରଦ ପାୱାରଙ୍କ ସପକ୍ଷରେ ରହିଥିବା ଘୋଷଣା କରିସାରିଛନ୍ତି । ଏଭଳି ସ୍ଥିତିରେ ବିଜେପି ବହୁମତ ପରୀକ୍ଷାରେ ପାଶ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ମହାରାଷ୍ଟ୍ର ବିଧାନସଭାରେ ୨୮୮ ଆସନ ଥିବାବେଳେ ସରକାର ଗଢ଼ିବା ପାଇଁ ୧୪୫ ଆସନର ଆବଶ୍ୟକତା ରହିଛି । କିନ୍ତୁ ବିଜେପି ପାଖରେ ମାତ୍ର ୧୦୫ ଜଣ ସଭ୍ୟ ରହିଛନ୍ତି । ଯଦି ସମସ୍ତ ୧୪ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରନ୍ତି ତେବେ ସଂଖ୍ୟା ୧୧୯ ରହିବ । ଅପରପକ୍ଷରେ ଏନସିପିର ୫୪ ଜଣ ବିଧାୟକଙ୍କ ମଧ୍ୟରୁ ୫୦ ଜଣ ଏବେ ଶରଦଙ୍କ ପାଖରେ ଥିବାରୁ ଫଡ଼ନାଭିସ ସରକାରଙ୍କ ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ ।