ଭଦ୍ରକ ଏବଂ ନାରାୟଣଗଡ଼ ତୃତୀୟ ଲାଇନକୁ କ୍ୟାବିନେଟ ମଞ୍ଜୁରି
ଭଦ୍ରକ ଏବଂ ନାରାୟଣଗଡ଼ ତୃତୀୟ ଲାଇନକୁ କ୍ୟାବିନେଟ ମଞ୍ଜୁରି
admin
Mar 8, 2019 - 06:43
Updated: Mar 8, 2019 - 06:43
ନୂଆଦିଲ୍ଲୀ, – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ପଶ୍ଚିମବଙ୍ଗର ନାରାୟଣଗଡ଼ ଏବଂ ଓଡ଼ିଶାର ଭଦ୍ରକ ମଧ୍ୟରେ ୧୫୫ କିମି ବିଶିଷ୍ଟ ତୃତୀୟ ରେଳ ଲାଇନ ନିର୍ମାଣକୁ ମଞ୍ଜୁରି ମିଳିଛି । ଏଥିପାଇଁ ମୋଟ ୧,୮୬୬. ୩୧ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ୨୦୨୩-୨୪ ସୁଦ୍ଧା ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।
ତୃତୀୟ ଲାଇନ ନିର୍ମାଣ ଦ୍ୱାରା ବର୍ତମାନର ପରିବହନ କ୍ଷମତା ସହିତ ଅତିରିକ୍ତ ଯାତ୍ରୀ ତଥା ମାଲ ପରିବହନ କ୍ଷମତା ବୃଦ୍ଧି ପାଇବ । ଇସ୍ପାତ ପ୍ଲାଂଟଗୁଡ଼ିକୁ ଜାଳେଣି କୋଇଲା ଏବଂ ଚକ୍ରଧରପୁର କ୍ଷେତ୍ରରୁ ବନ୍ଦରଗୁଡ଼ିକ ପର୍ଯ୍ୟନ୍ତ ରପ୍ତାନି ଲାଗି ଖଣିଜ ପଥର ପରିବହନ ନିମନ୍ତେ ବ୍ୟସ୍ତବହୁଳ ନାରାୟଣଗଡ଼ ଏବଂ ଭଦ୍ରକ ରେଳଲାଇନର ଉପଯୋଗ ହୋଇଥାଏ । ଏହି କାରଣରୁ ତୃତୀୟ ଲାଇନ କୋଇଲା ପରିବହନକୁ ସହଜ କରିବାରେ ସହାୟକ ହେବ । ଏହାଦ୍ୱାରା ଇସ୍ପାତ ପ୍ଲାଂଟ, ବିଦ୍ୟୁତ ପ୍ଲାଂଟ ସହିତ ରପ୍ତାନୀ ଉଦ୍ୟୋଗଗୁଡ଼ିକୁ ସହାୟତା ମିଳିପାରିବ । ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଏବଂ ସମଗ୍ର ପୂର୍ବ ଭାରତର ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିକୁ ପ୍ରୋତ୍ସାହନ ମଧ୍ୟ ମିଳିବ ।
ତୃତୀୟ ଲାଇନ ଏହି ମାର୍ଗରେ ଭିଡ଼ ହ୍ରାସ କରିବାରେ ସହାୟକ ହେବ । ନାରାୟଣଗଡ଼-ଭଦ୍ରକ ସେକ୍ସନ ହାଓଡ଼ା-ଚେନ୍ନାଇ ଟ୍ରଙ୍କ ମାର୍ଗର ଅଂଶବିଶେଷ । ୨୦୧୪-୧୫ ଲାଇନ କ୍ଷମତା ଷ୍ଟେଟମେଂଟ ଅନୁଯାୟୀ, ନାରାୟଣଗଡ଼ ଏବଂ ଭଦ୍ରକ ସେକ୍ସନର ଉପଯୋଗ (ରକ୍ଷଣାବେକ୍ଷଣ ବ୍ଲକ ସହିତ) ୧୩୮ ପ୍ରତିଶତ ରହିଛି । ଭାରୀ ମାଲ ପରିବହନ ବ୍ୟତିତ ଏହି ମାର୍ଗରେ ଟ୍ରେନର ୪୭ ଯୋଡ଼ା କୋଚିଂ ଟ୍ରେନ ଯାତାୟାତ କରିଥାଏ । ଏଗୁଡ଼ିକ ମଧ୍ୟରେ ରହିଛି ଦ୍ରୁତଗତିରେ ଚଳାଚଳ କରୁଥିବା ଭୁବନେଶ୍ୱର ରାଜଧାନୀ, ହାଓଡ଼ା-ୟଶୱନ୍ତପୁର, ଦୁରନ୍ତୋ, ହାଓଡ଼ା-ପୁରୀ ଦୁରନ୍ତୋ, ସିୟାଲଦା-ପୁରୀ ଦୁରନ୍ତୋ, ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ ଇତ୍ୟାଦି । ଫଳରେ ଏହି ଲାଇନରେ ଅଧିକ ଭିଡ଼ ହୋଇଥାଏ ।
ଏହି ପ୍ରକଳ୍ପ ନିର୍ମାଣ ସମୟରେ ପାଖାପାଖି ୩୭.୨ ଲକ୍ଷ ମାନବ ଦିବସ ସୃଷ୍ଟିରେ ସହାୟତା ମିଳିପାରିବ ଏବଂ ପରୋକ୍ଷ ଭାବେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।