ନୂଆ ଡିଗ୍ରି କଲେଜକୁ ୫ ବର୍ଷ ଯାଏ ମିଳିବନି ଅନୁମତି

ନୂଆ ଡିଗ୍ରି କଲେଜକୁ ୫ ବର୍ଷ ଯାଏ ମିଳିବନି ଅନୁମତି

ନୂଆ ଡିଗ୍ରି କଲେଜକୁ ୫ ବର୍ଷ ଯାଏ ମିଳିବନି ଅନୁମତି
ଭୁବନେଶ୍ୱର - ଆସନ୍ତା ୫ ବର୍ଷ ଅର୍ଥାତ ୨୦୨୦-୨୧ରୁ ୨୦୨୫-୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ନୂଆ ଡିଗ୍ରି ଓ ପ୍ରଫେସନାଲ କଲେଜ ଖୋଲିବ ନାହିଁ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ଅନୁମତି ଦିଆଯିବ ନାହିଁ । ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନାଁ କମାଇଥିବା ଶିକ୍ଷା ଏଜେନ୍ସି ଯଦି ନୂଆ କଲେଜ ଖୋଲିବାକୁ ପ୍ରସ୍ତାବ ଦିଅନ୍ତି, ସେଭଳିସ୍ଥଳେ ବିଚାର କରାଯିବ ବୋଲି ଗତ ମାସରେ ବସିଥିବା ଉଚ୍ଚଶିକ୍ଷା ବିଭାଗର ଉଚ୍ଚକ୍ଷମତା ସମ୍ପନ୍ନ କମିଟି(ଏଚ୍‍ପିସି) ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିସହ ଡିଗ୍ରି ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକରେ ନୂତନ ପାଠ୍ୟକ୍ରମ ଖୋଲିବା ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି । ୨୦୨୦-୨୧ ଶିକ୍ଷାବର୍ଷରେ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂଆ ବିଭାଗ, ବିଷୟ ଓ ପାଠ୍ୟକ୍ରମ ଖୋଲିବା ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକ ଉପରେ ମିଳିତ ଭାବେ ଯାଞ୍ଚ କରାଯିବ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଠନ କରାଯାଇଥିବା ଏକ ପ୍ରତିନିଧି ଦଳ କଲେଜ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ଯାଞ୍ଚ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ । ସ୍ୱୟଂଶାସିତ ହୋଇ ନଥିବା କଲେଜଗୁଡ଼ିକ କଥା ବିଚାର କରାଯିବ ନାହିଁ । ନୂତନ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଅନୁମତି ଦେବା ପୂର୍ବରୁ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର୍ ଅଶୋକ କୁମାର ଦାଶଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡ୍‍ଲାଇନକୁ ଅନୁକରଣ କରାଯିବ । ୨୦୨୧-୨୨ ଶିକ୍ଷାବର୍ଷରୁ ନୂଆ ପାଠ୍ୟକ୍ରମ ଖୋଲିବା ପାଇଁ ଆବେଦନ କରିବାକୁ ଥିବା କଲେଜ ପାଇଁ ମାନଦଣ୍ଡ ସ୍ଥିର ହୋଇଛି । ଆବେଦନ କରିବାକୁ ହେଲେ କଲେଜକୁ ଅତି କମ୍‍ରେ ନାକ୍ "ସିଜିପିଏ ୨.୦୧' ପଏଣ୍ଟ ପାଇଥିବା ନିହାତି ଆବଶ୍ୟକ । ଯଦି ନାକ୍ ମାନ୍ୟତା ନ ଥିବ, ସେଭଳି ସ୍ଥିତିରେ ଏନ୍ଆଇଆରଏଫ୍ ର୍ୟାଙ୍କରେ ଦେଶରେ ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ଭିତରେ ରହିଥିବା ନିତାନ୍ତ ଆବଶ୍ୟକ । ଯଦି ଉଭୟ ମାନଦଣ୍ଡ ପୂରଣ କରୁ ନଥିବ, ସେଭଳି ସ୍ଥଳେ କଲେଜର ଏକ ତୃତୀୟାଂଶ ପାଠ୍ୟକ୍ରମ ନ୍ୟାସନାଲ ବୋର୍ଡ ଅଫ୍ ଆକ୍ରିଡିଟେସନ(ଏନ୍‍ବିିଏ) ଦ୍ୱାରା ଅନୁମୋଦିତ ହୋଇଥିବା ଆବଶ୍ୟକ । ୨୦୧୯ ଡିସେମ୍ବର ୧୧ ଭିତରେ ପ୍ରତିଷ୍ଠା ହୋଇଥିବା କଲେଜଗୁଡ଼ିକ ଯଦି ସ୍ଥାୟୀ ମାନ୍ୟତା ଲାଗି ଆବେଦନ କରିଥିବେ, ତାହାକୁ ବିଚାର କରାଯିବ । କୃଷି ଓ ସ୍ୱାସ୍ଥ୍ୟ ସମ୍ପର୍କରେ କୌଣସି ନୂତନ ପାଠ୍ୟକ୍ରମ ଖୋଲିବା ପାଇଁ ଅନୁମତି ପ୍ରଦାନ ପାଇଁ ଏଚ୍‍ପିସିର ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି । ନକଲି କଲେଜ ଉପରେ ନଜର ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିଷ୍ପତ୍ତି ହୋଇଛି । ଏଣିକି ବିଭାଗ ଦ୍ୱାରା ଅନୁବନ୍ଧିତ, ସହବନ୍ଧିତ ଓ ମାନ୍ୟତା ପାଇଥିବା କଲେଜଗୁଡ଼ିକର ନାମ ବିଭାଗୀୟ ୱେବସାଇଟ୍‍ରେ ପ୍ରକାଶ କରାଯିବ । ଏଥିସହ ନିୟମିତ ବ୍ୟବଧାନରେ ଉକ୍ତ କଲେଜ ସମ୍ପର୍କରେ ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇବ । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀ ଆଉ ନାମଲେଖା ସମୟରେ ଠକାମିର ଶିକାର ହେବେ ନାହିଁ । ଏହି ବୈଠକ ଅବସରରେ କେତେକ କଲେଜରେ ନୂଆ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦିଆଯାଇଛି ।