ନବ ଦାସ ହତ୍ୟା ମାମଲାରେ ସାମ୍ନାକୁ ଆସିପାରେ ବିସ୍ଫୋରକ ତଥ୍ୟ

ନବ ଦାସ ହତ୍ୟା ମାମଲାରେ ସାମ୍ନାକୁ ଆସିପାରେ ବିସ୍ଫୋରକ ତଥ୍ୟ

ନବ ଦାସ ହତ୍ୟା ମାମଲାରେ ସାମ୍ନାକୁ ଆସିପାରେ ବିସ୍ଫୋରକ ତଥ୍ୟ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ହାଇ ପ୍ରୋଫାଇଲ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନରେ ବିଳମ୍ବିତ ହେବାରେ ଲାଗିଛି । ତଦନ୍ତକାରୀ ଟିମ୍‌ ଶୁକ୍ରବାର ମାଜିଷ୍ଟ୍ରେଟ୍‌ଙ୍କ ସହାୟତା ନେଇ ଗୋପାଳର ବ୍ରଜରାଜନଗର ଅଞ୍ଚଳର ଓରିଏଣ୍ଟାଲ୍‌ କଲୋନୀସ୍ଥିତ ବନ୍ଦ ଥିବା ସରକାରୀ କ୍ୱାର୍ଟର୍ସରୁ ବହୁ କାଗଜପତ୍ର ସହ ଏକ ଡାଏରୀ ଜବତ କରିଛି । ଉକ୍ତ ଡାଏରୀକୁ ନେଇ ଚର୍ଚ୍ଚା ଲାଗି ରହିଛି । ସେଥିରେ ବିସ୍ଫୋରକ ତଥ୍ୟ ଥିବା କୁହାଯାଉଛି ।


ସେପଟେ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଥିବା ଗୋପାଳର ହାତ ଲେଖା କାଗଜକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଛି । ଏହି ହାତଲେଖା ନିଜର ବୋଲି ଗୋପାଳ ସ୍ୱୀକାର କରିଛି । ଜବତ ୨୨ ଖଣ୍ଡ ଚିରା କାଗଜ ଯାଞ୍ଚ ଲାଗି ହ୍ୟାଣ୍ଡ୍‌ ରାଇଟିଂ ବ୍ୟୁରୋକୁ ପଠାଯିବ । କ୍ରାଇମ୍‌ ବ୍ରାଞ୍ଚର ଏକ ପାଞ୍ଚ ଜଣିଆ ଟିମ୍‌ ବୁର୍ଲା ଭିମସାରରେ ପହଞ୍ଚି ଗୁଳିମାଡ଼ରେ ଆହତ ଜୀବନ ନାୟକଙ୍କୁ ଜେରା କରିଛନ୍ତି । କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଜୀବନ ଭର୍ତ୍ତି ହୋଇଥିବା ଭିମସାରର ଇଏନ୍‌ଟି ବିଭାଗରେ ପହଞ୍ଚି ୧୬୧ ଧାରାରେ ବୟାନ ରେକର୍ଡ କରିବା ସହିତ ତାଙ୍କ ରକ୍ତଭିଜା ସାର୍ଟ ଜବତ କରିଛନ୍ତି । ଦୁଇଜଣ ଡିଏସ୍‌ପି ଅନାଦୀ ସେଠୀ ଏବଂ ବାସୁଦେବ ସ୍ୱାଇଁଙ୍କ ନେତୃତ୍ୱରେ ଏହି ଟିମ୍‌ ଭୀମସାରରେ ତଦନ୍ତ କରିଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ବିଭାଗୀୟ ଡାକ୍ତରଙ୍କ ସହିତ ମଧ୍ୟ ଆଲୋଚନା କରିଛି ଟିମ୍‌ । ଜୀବନଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ ଲିଖିତ ଭାବେ ଜଣାଇବା ପାଇଁ ଡାକ୍ତରଙ୍କୁ କୁହାଯାଇଛି । ମେଡିକାଲ ଫାଣ୍ଡି ଅଧିକାରୀ ଉଦ୍ଧବ ତରିଆଙ୍କ ସହିତ ମଧ୍ୟ ଟିମ୍‌ ଆଲୋଚନା କରିଛନ୍ତି ।

ଶୁକ୍ରବାର ସକାଳେ ଅଭିଯୁକ୍ତ ଗୋପାଳଙ୍କୁ ଝାରସୁଗୁଡ଼ା ଓଏସଏପି କ୍ୟାମ୍ପସରୁ ନେଇ ବ୍ରଜରାଜନଗରରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ । କଡ଼ା ସୁରକ୍ଷା ବଳୟ ଭିତରେ ଅଭିଯୁକ୍ତକୁ ପ୍ରଥମେ ସେ ରହୁଥିବା କ୍ୱାର୍ଟର ଏବଂ ପରେ ଗାନ୍ଧୀଛକ ଫାଣ୍ଡିକୁ ନେଇ ତଦନ୍ତ କରାଯାଇଥିଲା । କ୍ୱାର୍ଟରରେ ମଧ୍ୟାହ୍ନରୁ ଅପରାହ୍ନ ୪ଟା ଯାଏ ଗୋପାଳକୁ ମାରାଥନ ଜେରା କରାଯାଇଥିଲା । ସେଠାରୁ ଗାନ୍ଧୀଛକ ଫାଣ୍ଡିକୁ ଅଣାଯାଇ ସେଠାରେ ଦୁଇ ଘଣ୍ଟା କାଳ ତଦନ୍ତ କରାଯାଇଥିଲା । ଫାଣ୍ଡିରେ ଥିବା ଏକ କାର୍‌ (ଓଆର୧୫ଏନ୪୨୬୩)କୁ ଖୋଲି ଯାଞ୍ଚ କରାଯାଇଥିଲା । ଗୋପାଳ ବ୍ୟବହାର କରୁଥିବା ବାଇକକୁ ଜବତ କରାଯାଇଛି । ଘଟଣା ଦିନ ଉକ୍ତ ବାଇକରେ ଗୋପାଳ ଘଟଣାସ୍ଥଳକୁ ଯାଇଥିଲା ବୋଲି କୁହାଯାଉଛି । ଅଭିଯୁକ୍ତ ଗୋପାଳ ଏବେ ସୁଦ୍ଧା ଯାହାବି କ୍ରାଇମବ୍ରାଞ୍ଚ ଆଗରେ କହିଛି ତାହା ତଦନ୍ତ ପ୍ରକ୍ରିୟାକୁ ଭୁଆଁ ବୁଲାଇବାର ପ୍ରୟାସ ଭାବେ ସାଧାରଣରେ ଅଭିହିତ କରାଯାଉଛି ।