ନବ ଦାସ ହତ୍ୟାକାଣ୍ଡ ହେବ ବିରୋଧୀଙ୍କ ପ୍ରମୁଖ ଅସ୍ତ୍ର

ଭୁବନେଶ୍ୱର:ଏଥର ବିଧାନସଭା ଅଧିବେଶନ ଯେ ତତଲା ରହିବ, ଏବେଠାରୁ ତା’ର ଆଭାସ ମିଳିସାରିଲାଣି । ଉଠିବ ପଡ଼ିବ ଗୃହ । ହାତରେ ମାଳମାଳ ପ୍ରସଙ୍ଗ । ବିରୋଧୀ ପଟୁ ଆକ୍ରମଣ ତ ଶାସକ ଦଳ ପକ୍ଷରୁ ହେବ ପ୍ରତି ଆକ୍ରମଣ ।
ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ରହିଛି ତଗଡ଼ା ପ୍ରସଙ୍ଗ । ସବୁଠୁ ଉପରେ ରହିଛି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ । ଏ ପ୍ରସଙ୍ଗରେ ଆଇନଶୃଙ୍ଖଳା ଓ ଷଡ଼ଯନ୍ତ୍ରର ଅଭିଯୋଗ ମାଡ଼ରେ କମ୍ପାଇବେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗକୁ ବଡ଼ ଅସ୍ତ୍ର କରିବେ ସରକାରଙ୍କ ବିରୋଧରେ। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ବାଦ୍ ଧାନ ମଣ୍ଡି, ଆବାସ ଦୁର୍ନୀତି, ଦରବୃଦ୍ଧି ଭଳି ମାଳମାଳ ପ୍ରସଙ୍ଗ ଧରି ବସିଛନ୍ତି ବିରୋଧୀ ଦଳ । ଏକଥା ନୁହେଁ, ଏଥର ଶାସକ ଦଳ ଚୁପ୍ ରହିବ । ଆକ୍ରମଣର ଜବାବ ପ୍ରତି ଆକ୍ରମଣରେ ଦେବ ବିଜେଡି । କେନ୍ଦ୍ରୀୟ ଅବହେଳା, କେନ୍ଦ୍ରର ୫କେଜି ଚାଉଳ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆଦି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବା ସହ ବିରୋଧୀ ଦଳ ଜୟନାରାୟଣ ମିଶ୍ରଙ୍କ ବିବାଦକୁ ନେଇ ବିଜେପିକୁ ଅକଳରେ ପକାଇବାକୁ ଶାସକ ଦଳ ରଣନୀତି ଚଳାଇଛି । ବିଧାନସଭା ପାଇଁ ବିରୋଧୀ ବିଜେପି ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରି ସାରିଥିବାବେଳେ ମଙ୍ଗଳବାର ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ।
ସୋମବାର ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ବିରୋଧୀ ଦଳ ନେତା ଶ୍ରୀ ମିଶ୍ର, ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ସଭାପତି ସମୀର ମହାନ୍ତି, ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଧାୟକଙ୍କୁ ନେଇ ଦଳ ରଣନୀତି ତିଆରି କରିଛି । ବୈଠକ ପରେ ଶ୍ରୀ ମାଝୀ ଗଣମାଧ୍ୟମକୁ ଜଣାଇଛନ୍ତି, ମନ୍ତ୍ରୀ ନବ ଦାସଙ୍କ ହତ୍ୟା, ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ, ନାରୀ ନିର୍ୟାତନା, ମାଗଣା ଚାଉଳ, ଅମୃତକାଳ ବଜେଟ, ସର୍ବକାଳୀନ ସର୍ବାଧିକ ରେଳ ବଜେଟ, ବିଜେଡି ସରକାରରେ ଚାଉଳ ହଡ଼ପ, ପ୍ରଧାନମନ୍ତ୍ରୀ ଆବାସ, ଧାନମଣ୍ଡି, ମିଲର-ସରକାର ମଧୁଚନ୍ଦ୍ରିକା, ଖଣି ଦୁର୍ନୀତି, ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା, ବେକାରୀ ବିପର୍ୟ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ଦାଦନ ସମସ୍ୟା, ଜଙ୍ଗଲ ନିଆଁ, ହାତୀ ମୃତ୍ୟୁ, ଆଦି ପ୍ରସଙ୍ଗକୁ ଉଠାଯିବ । ନବ ଦାସଙ୍କ ହତ୍ୟା ଘଟଣାରେ ଯେଉଁ ଷଡ଼ଯନ୍ତ୍ର ରହିଛି, ସେଇ ଷଡ଼ଯନ୍ତ୍ରକାରୀଙ୍କୁ ଧରିବାରେ କ୍ରାଇମବ୍ରାଞ୍ଚ ବିଫଳ ହୋଇଛି । ଏସବୁ ପ୍ରସଙ୍ଗ ଗୃହରେ ଉଠିବ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ନବ ଦାସଙ୍କ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି । ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ସନ୍ଦେହ ଉଠିଛି । ରାଜ୍ୟରେ ପୁଲିସ ଡିଜି ଅଛନ୍ତି ବୋଲି ଅନୁଭବ ହେଉନି । ରାଜ୍ୟରେ ଆଇନର ଶାସନ ନାହିଁ । ଏ ପ୍ରସଙ୍ଗ ବିଧାନସଭାରେ କଂଗ୍ରେସ ଉଠାଇବ । ଏହାବାଦ୍ ମମିତା ମେହେର ପ୍ରସଙ୍ଗର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହଜନକ ମୃତ୍ୟୁ, ମଣ୍ଡି ସମସ୍ୟା, ଚାଷୀର ଧାନ ନ ଉଠିବା, ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧିକୁ କଂଗ୍ରେସ ବିଧାନସଭାରେ ସ୍ୱର ଉଠାଇବ । ମଙ୍ଗଳବାର ବିଧାୟକ ଦଳ ବୈଠକରେ କଂଗ୍ରେସ ରଣନୀତି ସ୍ଥିର ହେବ।