ଡିଜିପିଙ୍କୁ ଅପରାଜିତାଙ୍କ ଚିଠି : ଜାଣନ୍ତୁ ଚିଠିରେ କଣ ରହିଛି ରହସ୍ୟ

ଡିଜିପିଙ୍କୁ ଅପରାଜିତାଙ୍କ ଚିଠି : ଜାଣନ୍ତୁ ଚିଠିରେ କଣ ରହିଛି ରହସ୍ୟ

ଡିଜିପିଙ୍କୁ ଅପରାଜିତାଙ୍କ ଚିଠି : ଜାଣନ୍ତୁ ଚିଠିରେ କଣ ରହିଛି ରହସ୍ୟ
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତଭାବେ ହିଂସାକାଣ୍ଡ ବଢିଚାଲିଛି । ଯେଉଁ ସଂଖ୍ୟାରେ ହିଂସା ବଢୁଛି, ତାହା ତୁଳନାରେ ଦଣ୍ଡ କମ ହେଉଛି । ତେବେ ରାଜ୍ୟର କେଉଁଠି କେଉଁଠି ରାଜନୈତିକ ହିଂସାକାଣ୍ଡ ଘଟିଛି ତାହାର ଏକ ତଥ୍ୟ ସମ୍ବୋଳିତ ଚିଠି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ଡିଜିପିଙ୍କୁ ପ୍ରଦାନ କରିଛନ୍ତି । ଉକ୍ତ ଚିଠିରେ ଅପରାଜିତା ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି ଯେ, ନିକଟ ଅତୀତରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ସଂଖ୍ୟା ବଢିଛି । ଏଥିସହ ପଞ୍ଚାୟତ ନିର୍ବାଚନଠୁ ସାଧାରଣ ନିର୍ବାଚନ ମଧ୍ୟରେ ହୋଇଥିବା ଆକ୍ରମଣର ତଥ୍ୟ ମଧ୍ୟ ରଖିଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩ଟି ସ୍ଥାନରେ ବିଜେପି କର୍ମୀ ହିଂସାର ଶିକାର ହୋଇଛନ୍ତି । କେନ୍ଦ୍ରାପଡ଼ାରେ ୨ ଓ ଖୋର୍ଦ୍ଧା ଜିଲ୍ଲାର ୨ଟି ସ୍ଥାନରେ ମଧ୍ୟ ହିଂସାର ଶିକାର ହୋଇଛନ୍ତି । ଏହାଛଡ଼ା ଢେଙ୍କାନାଳ, ମାଲକାନଗିରି ଓ ମୟୂରଭଞ୍ଜରେ ଗୋଟିଏ ଲେଖାଏଁ ସ୍ଥାନରେ ବିଜେପି କର୍ମୀ ହିଂସାର ଶିକାର ହୋଇଛନ୍ତି । କେବଳ ସେତିକି ନୁହେଁ ଗଜପତି, ଭଦ୍ରକ, କୋରାପୁଟ, ବଲାଙ୍ଗୀର ଓ ରାୟଗଡ଼ାରେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ଦୁର୍ବଳ ତଦନ୍ତରୁ ସମସ୍ତ ଘଟଣାର ଦୋଷୀ ଖସି ଯାଉଥିବା ଅପରାଜିତା ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି । ଏନସିଆରବି ରିପୋର୍ଟ ଅନୁସାରେ ୨୦୧୮ରେ ଓଡ଼ିଶାରେ ଦଣ୍ଡବିଧାନ ସଂଖ୍ୟା ନଗଣ୍ୟ ବୋଲି ଅପରାଜିତା କହିଛନ୍ତି । ଏପରିକି ବଢି ଚାଲିଥିବା ହିଂସାକାଣ୍ଡକୁ ନରୋକିଲେ ଓଡ଼ିଶାରେ ପଶ୍ଚିମବଙ୍ଗ ଭଳି ପରିସ୍ଥିତି ଉପୁଜିବ ବୋଲି ସେ କହିଛନ୍ତି । ପ୍ରକାଶ ଯେ, କଟକ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଅଟଳ ରହିଛି । ଏନେଇ ପୂର୍ବରୁ ବିଭିନ୍ନ ଥାନା ଓ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଥିବାବେଳେ ଶୁକ୍ରବାର ଦଳ ପକ୍ଷରୁ ଡିଜି ଅଫିସ ଘେରାଉ କରାଯାଇଥିଲା । ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଓ ବହିଷ୍କାର ଦାବିରେ ଏହି ଘେରାଉ କରାଯାଇଥିଲା । ଏହି ଘେରାଉରେ ରାଜ୍ୟ ବିଜେପିର ସହ ପ୍ରଭାରୀ ବିଜୟ ସିଂ ତୋମାର, ରାଜ୍ୟ ସଭାପତି ସମର ମହାନ୍ତି ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ । ପୂର୍ବରୁ ରାଜନୈତିକ ହତ୍ୟାକାଣ୍ଡ କଥା ବୁଝିବା ପାଇଁ ସେ ଥାନା ଯିବେ ବୋଲି ଅପରାଜିତା କହିଥିଲେ । ସେ କହିଥିଲେ ଯେ, ମାହାଙ୍ଗାରେ ଯାହା ଘଟିଲା ତାହା ଜଘନ୍ୟ ଅପରାଧ । ଆମେ ଆଶ୍ଚର୍ଯ୍ୟ ଯେ, ଜଗନ୍ନାଥଙ୍କ ରାଜ୍ୟରେ ଏହା କିପରି ଘଟିଲା । ୧୭ଟି ରାଜନୈତିକ ହତ୍ୟା, ପଞ୍ଚାୟତ ନିର୍ବାଚନବେଳେ ୧୪ ଜଣ କର୍ମୀଙ୍କୁ ହତ୍ୟା କରାଯାଇଛି । ସାଧାରଣ ନିର୍ବାଚନବେଳେ ମୋ ନିର୍ବାଚନମଣ୍ଡଳୀରେ ଜଣଙ୍କୁ ହତ୍ୟା କରାଯାଇଛି । ନିର୍ବାଚନ ଜିତିବା ସକାଶେ ଶାସକ ଦଳ କ୍ଷମତା ପାଇଁ ହତ୍ୟାକାଣ୍ଡ ଭିଆଉଛି । ପ୍ରକୃତ ଦୋଷୀକୁ ଧରିବା ଓ ଚାର୍ଜସିଟ ଦାଖଲରେ ସରକାର ବିଫଳ । ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲେ ବି ସକ୍ରୟ ହୋଇନି କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଥିଲେ । ଏହାଛଡ଼ା ପିଏମ ଆବାସ ଯୋଜନାକୁ ନେଇ ମାହାଙ୍ଗାରେ ହତ୍ୟାକାଣ୍ଡ ଘଟିଛି । ଥାନାକୁ ଯାଇ ସବୁ ରାଜନୈତିକ ହତ୍ୟାକାଣ୍ଡ କଥା ବୁଝିବି । ସ୍ଥିତି କ’ଣ ଅନୁଧ୍ୟାନ କରିବା ପରେ ରାଜ୍ୟବାସୀଙ୍କୁ ଅବଗତ କରିବି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ।