ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ଘଟଣା : ଭିସେରା ରିପୋର୍ଟରେ ମଦ ସହିତ ଅତ୍ୟଧିକ ନିଦ ବଟିକା
ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ଘଟଣା : ଭିସେରା ରିପୋର୍ଟରେ ମଦ ସହିତ ଅତ୍ୟଧିକ ନିଦ ବଟିକା

କେନ୍ଦୁଝର : କେନ୍ଦୁଝର ଯୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ଼ ନେଇଛି । ପୋଲିସର ହସ୍ତଗତ ହୋଇଛି ମୃତ ଶୁଭଶ୍ରୀଙ୍କ ଭିସେରା ରିପୋର୍ଟ । ରିପୋର୍ଟରେ ଉଲ୍ଲେଖ ରହିଛି ମଦ ସହିତ ଅତ୍ୟଧିକ ନିଦ ବଟିକା ଖାଇବା ଯୋଗୁ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ଶୁଭଶ୍ରୀଙ୍କ ବାପା ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ, ମାମୁ ଅଜୟ ମାଝୀ, ସମ୍ପର୍କୀୟ ମନୋରଞ୍ଜନ ମାଝୀ ଏବଂ ମା’ଙ୍କ ସହ ଷଡ଼ଯନ୍ତ୍ରରେ ସାମିଲ ୩ ଡାକ୍ତରଙ୍କ ବିରୋଧରେ ଥାନାରେ ଦେଇଛନ୍ତି ଏତଲା ।ଏହାସହ ଅଭିଯୋଗ ପାଇବା ପରେ ଯୋଡ଼ା ଥାନାରେ ୭ ଜଣଙ୍କ ନାମରେ ରୁଜୁ ହୋଇଛି ମାମଲା ।
ସୂଚନା ଥାଉକି, ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଂଜନ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରେ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସଂପର୍କ ।ପରବର୍ତ୍ତୀ ସମୟରେ ଉଭୟ ଯୋଡ଼ାରେ ଚାକିରି କରିବାରୁ ସଂପର୍କ ଆହୁରି ନିବିଡ଼ ହୋଇଥିଲା । ସେତିକି ନୁହେଁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ଶାରୀରିକ ସଂପର୍କ । ଆଉ ସଂପର୍କ ସ୍ଥାପନ ପରେ ଡାକ୍ତର ଦିବ୍ୟରଞ୍ଜନ ପ୍ରତାରଣା କରିଥିବା ନେଇ ଡାକ୍ତର ଶୁଭଶ୍ରୀ ଯୋଡ଼ା ଥାନାରେ ଗତ ଡିସେମ୍ବର ୨୦ ତାରିଖରେ କରିଥିଲେ ଅଭିଯୋଗ । ଡିସେମ୍ବର ୩୧ରେ ଶୁଭଶ୍ରୀ ନିଜର ସହକର୍ମୀଙ୍କ ସହିତ “ଜିରୋ ନାଇଟ୍’ ସେଲିବ୍ରେସନ କରିବା ପରେ ଜାନୁଆରୀ ୧ରେ ଭଡ଼ା ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।