ଜୁନ ପହିଲାରୁ ଆରମ୍ଭ ହେବ +୨ ଖାତାଦେଖା ।
ଜୁନ ପହିଲାରୁ ଆରମ୍ଭ ହେବ +୨ ଖାତାଦେଖା ।
admin
May 27, 2020 - 09:43
Updated: May 27, 2020 - 09:43
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ ଖାତା ଦେଖା ଜୁନ ପହିଲାରୁ ଆରମ୍ଭ କରାହେବ । ୨୦୨୦ ରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କର ଉତ୍ତର ଖାତା ମୂଲ୍ୟାୟନ କରାଯିବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚସିଇ) ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ମୂଲ୍ୟାୟନ ପ୍ରକ୍ରିୟା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।
ଚିଠିରେ ଉଲ୍ଲେଖ ଅଛି ଯେ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ମୁତାବକ ଜୁନ ପହିଲାରୁ ମୂଲ୍ୟାୟନ ଆରମ୍ଭ ହେବ । ରାଜ୍ୟରେ ଅଧିକାଂଶ ସ୍ଥାନରେ କରୋନା ଯୋଗୁଁ ଯୁକ୍ତ ଦୁଇ ମୂଲ୍ୟାୟନ କେନ୍ଦ୍ରରେ କ୍ୱାରେଣ୍ଟାଇନ ସେଣ୍ଟର ଅସ୍ଥାୟୀ ଆଶ୍ରୟ ସ୍ଥଳୀ, କୋଭିଡ ସହାୟତା କେନ୍ଦ୍ର, ଅସ୍ଥାୟୀ ମେଡିକାଲ କେନ୍ଦ୍ର କରାଯାଇଛି । ରାଜ୍ୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରିଚାଳନା ପ୍ରକ୍ରିୟା ବିଳମ୍ବ ହୋଇଛି । ବିଦ୍ୟାର୍ଥୀଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ମୂଲ୍ୟାୟନ ସୁରୁଖୁରୁରେ ଶେଷ କରି ଫଳ ପ୍ରକାଶ କରିବା ପାଇଁ ସହଯୋଗ କରିବାକୁ ଜିଲ୍ଲାପାଳଙ୍କୁ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି । ଯେଉଁ ମୂଲ୍ୟାୟନ କେନ୍ଦ୍ରରେ କ୍ୱାରେଣ୍ଟାଇନ ସେଣ୍ଟର ବା କୌଣସି ସହାୟତା କେନ୍ଦ୍ର କରାଯାଇଛି ତାକୁ ଖାଲି କରି ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ଦିଗରେ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବେ । ସେହିପରି ଯଦି ସ୍ଥାନାନ୍ତର ସମ୍ଭବ ହେବ ନାହିଁ ତେବେ କ୍ୱାରେଣ୍ଟାଇନ ସେଣ୍ଟରକୁ ବ୍ୟାରିକେଡ କରିବା ସହ ମୂଲ୍ୟାୟନ ଜୋନକୁ ମୂଲ୍ୟାୟନକାରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୃଥକ କରିହେବ । ମହାନଗର ନିଗମ, ସିଡିଏମଓ ଓ ଅନ୍ୟ ଅଧିକାରୀଙ୍କୁ ମୂଲ୍ୟାୟନ କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ବ୍ୟବସ୍ଥା କରିବା, ମୂଲ୍ୟାୟନ କେନ୍ଦ୍ରକୁ ପ୍ରତିଦିନ ବିଶୋଧନ କରିବା ଓ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବେ । ଚଳିତ ମାସ ୩୦ ତାରିଖ ସୁଦ୍ଧା ମୂଲ୍ୟାୟନ କେନ୍ଦ୍ର ବିଶୋଧନ, ବ୍ୟାରିକେଡ ଓ ଅନ୍ୟ ସମସ୍ତ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।