ଜଗଦ୍ଦେବଙ୍କୁ ଆକ୍ରମଣ ମାମଲାରେ ୯ ଗିରଫ
ଜଗଦ୍ଦେବଙ୍କୁ ଆକ୍ରମଣ ମାମଲାରେ ୯ ଗିରଫ

ଭୁବନେଶ୍ୱର : ବାଣପୁର ବ୍ଲକ ସାମ୍ନାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ୯ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସେମାନେ ବାଣପୁର ବ୍ଲକ ଭେଟେଶ୍ୱର ଓ ବାଆଁଳୋଇ ଗାଁର ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟଯେ, ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଦିନ ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଥିଲା । ବିଜେପି ସମର୍ଥିତ ସମିତି ସଭ୍ୟ, ସରଂପଚ ଓ ସେମାନଙ୍କ ହଜାର ହଜାର ସମର୍ଥକ ଶୋଭାଯାତ୍ରାରେ ଯାଉଥିଲେ । ଏହି ସମୟରେ ହଠାତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସେହି ଶୋଭାଯାତ୍ରାରେ ପହଁଚି ଯାଇଥିଲେ । ସେ ଗାଡ଼ି ଧରି ଶୋଭାଯାତ୍ରା ଆଡ଼କୁ ମାଡ଼ିଯିବାରୁ ତାଙ୍କ ସହ ବିଜେପି କାର୍ଯ୍ୟକର୍ତାମାନଙ୍କ ବଚସା ହୋଇଥିଲା । ଏମିତିକି ଲୋକମାନେ ବିଧାୟକଙ୍କ ଗାଡ଼ି ଭାଙ୍ଗିବା ଆରମ୍ଭ କରିଥିଲେ । ଅପରପକ୍ଷରେ ପୁଲିସର ବାରଣ ସତ୍ୱେ ଭିଡ଼ ଭିତରକୁ ଯାଇଥିବା ଶ୍ରୀ ଜଗଦ୍ଦେବ ନିଜେ ଡ୍ରାଇଭିଂ କରୁଥିବାବେଳେ ହଠାତ ଗାଡ଼ି ଆଗକୁ ମଡ଼ାଇ ଦେଇଥିଲେ । ତାଙ୍କ ଗାଡ଼ିରେ ଧକ୍କା ହୋଇ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ସମୟରେ ଉତ୍ୟକ୍ତ ଲୋକମାନେ ଗଣେଶଙ୍କୁ ଗାଡ଼ି ଭିତରୁ ବାହାର କରି ମରଣାନ୍ତକ ଆକ୍ରମଣ କରିଥିଲେ ।
ଏହି ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ଏବେ ସେ ବାଣପୁର ଜେଲରେ ଅଛନ୍ତି । ଅପରପକ୍ଷରେ ତାଙ୍କୁ ପିଟିଥିବା ଲୋକମାନଙ୍କୁ ମଧ୍ୟ ଆଜି ଗିରଫ କରାଯାଇଛି । ତେବେ ବର୍ତମାନ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଗିରଫ ସଂଖ୍ୟା ବଢ଼ିବ ବୋଲି ଜାଣିବାକୁ ମିଳିଛି ।