କର୍ମୀ କହିଲେ, ବେଗୁନିଆ କଂଗ୍ରେସକୁ କୈଳାସ ଭାଇନା ଭରସା
କର୍ମୀ କହିଲେ, ବେଗୁନିଆ କଂଗ୍ରେସକୁ କୈଳାସ ଭାଇନା ଭରସା
ଭୁବନେଶ୍ୱର : ବେଗୁନିଆ କଂଗ୍ରେସ ରାଜନୀତି ଏବେ ସରଗରମ ହୋଇଯାଇଛି । ତିନି ତିନି ଥର ବିଧାୟକ ପ୍ରାର୍ଥୀ ହୋଇ ହାରିଥିବା ପ୍ରଦୀପ ସାହୁ ଶଙ୍ଖ ଫୁଙ୍କିବାକୁ ମନସ୍ଥ କରିସାରିଥିବାବେଳେ ମୂଳ କଂଗ୍ରେସ ନେତା ଓ କଂଗ୍ରେସ କର୍ମୀମାନେ ଏବେ ଦୋଛକିରେ ପଡ଼ିଯାଇଛନ୍ତି । ପ୍ରଦୀପ ଗଲେବି ହଜାର ହଜାର କର୍ମୀ କଂଗ୍ରେସ ଛାଡ଼ିବାକୁ ନାରାଜ ଅଛନ୍ତି । ଏଭଳି ପରିପ୍ରେକ୍ଷୀରେ ବେଗୁନିଆ କଂଗ୍ରେସକୁ ପୂର୍ବତନ ବିଧାୟକ କୈଳାସ ମହାପାତ୍ର ଭରସା ବୋଲି କର୍ମୀମହଲରେ ମତ ପ୍ରକାଶ ପାଇଛି ।
୧୯୮୦ ଦଶକରେ ବେଗୁନିଆରେ ଲୋକପ୍ରିୟ ନେତା ଥିଲେ କୈଳାସ ମହାପାତ୍ର । ୧୯୮୦ ଓ ୧୯୮୫ରେ ସେ ବାଜିମାତ କରିଥିଲେ । ତେବେ ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ବେଗୁନିଆରୁ ଦୁଇ ଦୁଇଥର ପ୍ରାର୍ଥୀ ହୋଇଥିଲେ । ଜାନକୀ ବାବୁଙ୍କ ନେତୃତ୍ୱକୁ ସମ୍ମାନ ଜଣାଇ ସେ ସହଯୋଗ କରିଥିଲେ । ପରବର୍ତୀ ସମୟରେ ଜାନକୀ ବାବୁ ବେଗୁନିଆ ରାଜନୀତିରୁ ଅପସରି ଯିବା ପରେ ପ୍ରଦୀପ ସାହୁଙ୍କୁ ୨୦୦୯ରେ ଦଳର ଟିକେଟ ଦେଇଥିଲେ । ତେଣୁ ଏହାର ପ୍ରତିବାଦରେ କୈଳାସ ମହାପାତ୍ର ସ୍ୱାଧୀନ ଭାବେ ଲଢ଼ି ପ୍ରାୟ ୨୦ ହଜାର ଭୋଟ ପାଇ ପାରିଥିଲେ । ସୌମ୍ୟରଂଜନ ପଟ୍ଟନାୟକଙ୍କ ଘନିଷ୍ଠ ହୋଇଥିବାରୁ ତାଙ୍କୁ ସବୁବେଳେ କଂଗ୍ରେସ ଟିକେଟ ମିଳୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ।
ସମ୍ପ୍ରତି ରାଜନୀତି ପଲଟବାର କରିଛି । ପ୍ରଦୀପ ସାହୁ କଂଗ୍ରେସ ଛାଡ଼ି ବିଜେଡ଼ି ଗଲେ କିଏ ବେଗୁନିଆ ବୋଲଗଡ଼ କଂଗ୍ରେସର ନେତୃତ୍ୱ ନେବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଜନୈକ କଂଗ୍ରେସ ନେତା କହିଛନ୍ତିଯେ, ଆମେ ବ୍ରାଣ୍ଡେଡ଼ କଂଗ୍ରେସ କର୍ମୀ । ଦଳ କ୍ଷମତାରେ ଥାଉ ବା ନଥାଉ ଆମେ କଂଗ୍ରେସରେ ଅଛୁ ଓ ରହିବୁ । ଏବେ ବେଗୁନିଆ ବୋଲଗଡ଼ କଂଗ୍ରେସରେ ନେତୃତ୍ୱ ସଂକଟ ଥିବାରୁ କୈଳାସ ଭାଇନା ହିଁ ଏକମାତ୍ର ଭରସା । ଯଦି ଭାଇନା ଓ ତାଙ୍କ ପୁଅ ସଦାଶିବ ମହାପାତ୍ର କଂଗ୍ରେସର ନେତୃତ୍ୱ ନିଅନ୍ତି ତେବେ ଦଳ ପୁଣି ମଜବୁତ ହୋଇପାରିବ ।
ସୂଚନାଯୋଗ୍ୟଯେ, ସଦାଶିବ ମହାପାତ୍ର ଜଣେ ଉଚ୍ଚଶିକ୍ଷିତ ଯୁବକ ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି । ଏବେବି ନିର୍ବାଚନମଣ୍ଡଳୀରେ ତାଙ୍କର ୨୦ ହଜାର ପକେଟ ଭୋଟ ରହିଛି । ଅପରପକ୍ଷରେ ରାଜ୍ୟ କଂଗ୍ରେସ ପକ୍ଷରୁ ମଧ୍ୟ ତାଙ୍କୁ ଯୋଗାଯୋଗ କରାଯାଉଥିବା ନେଇ ଜାଣିବାକୁ ମିଳିଛି ।




admin 