୧୯୨୬ ସମବାୟ ସମିତି କାର୍ଯ୍ୟକାଳ ସରିଲା, ଏଣିକି ହେବନି ନିର୍ବାଚନ

୧୯୨୬ ସମବାୟ ସମିତି କାର୍ଯ୍ୟକାଳ ସରିଲା, ଏଣିକି ହେବନି ନିର୍ବାଚନ

 ୧୯୨୬ ସମବାୟ ସମିତି କାର୍ଯ୍ୟକାଳ ସରିଲା, ଏଣିକି ହେବନି ନିର୍ବାଚନ
ଭୁବନେଶ୍ୱର: ୧୯୨୬ଟି ପ୍ରାଥମିକ ସମବାୟ ସମିତି ପରିଚାଳନା କମିଟି କାର୍ଯ୍ୟକାଳ ଶେଷ ହୋଇଛି । କାର୍ଯ୍ୟକାଳ ସରିବା ପରେ ଏସବୁ ସମବାୟ ସମିତିରେ ଦାୟିତ୍ୱ ସମ୍ଭାଳିବେ ସମବାୟ ନିରୀକ୍ଷକ । ଏ ନେଇ ପ୍ରକି୍ରୟା ଚୂଡ଼ାନ୍ତ ହୋଇଛି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ୱଚନା ଦେଇଛନ୍ତି । ସମବାୟ ସମିତି ଗୁଡ଼ିକର ଆର୍ଥିକ ଦୁରାବସ୍ଥା ନ ସୁଧୁରିବା ପର୍ଯ୍ୟନ୍ତ ଓ ନୂତନ ନୀତି ନିର୍ଦ୍ଧାରଣ ନ ହେବା ପର୍ଯ୍ୟନ୍ତ ସମବାୟ ନିର୍ବାଚନ ହେବ ନାହିଁ ବୋଲି ଜଣାପଡିଛି । ସୂଚନା ମୁତାବକ ବ୍ରହ୍ମପୁରର ସର୍ବାଧିକ ୩୮୧ଟି ପ୍ରାଥମିକ ସମବାୟ ସମିତି, କଟକ-୧ର ୨୩୨, କଟକ-୨ର ୧୯୮, ପୁରୀର ୧୫୭, ବାଲେଶ୍ୱରର ୧୧୭, କଳାହାଣ୍ଡିର ୧୦୦, ଢେ଼ଙ୍କାନାଳର ୮୯, ଅନୁଗୁଳର ୮୮, ଖୋର୍ଦ୍ଧାର ୭୯, ସୁନ୍ଦରଗଡ଼ର ୭୧, ବାରିପଦାର ୬୩, ସମ୍ବଲପୁର -୨ର ୫୭, ବରଗଡ଼ର ୫୦, ଜୟପୁରର ୫୫, କେନ୍ଦୁଝରର ୭୩, ଫୁଲବାଣୀର ୩୨, ସମ୍ବଲପୁର -୧ ର ୨୭, ବଲାଙ୍ଗୀରର ୨୯, ରାୟଗଡ଼ାର ୨୮ଟି, ପ୍ରାଥମିକ ସମବାୟ ସମିତିର କାର୍ଯ୍ୟକାଳ ସରିଯାଇଛି । ମନ୍ତ୍ରୀଙ୍କ କହିବାନୁଯାୟୀ ବର୍ତ୍ତମାନ ଅଫିସରମାନେ ଏହାର ଦାୟିତ୍ୱରେ ରହି ସମବାୟ ସମିତିକୁ ପରିଚାଳନା କରିବେ । ସେହିପରି ଆସନ୍ତା ଫେବୃୟାରୀ ମାସରେ ମୋଟ ୯୯୭ଟି ପ୍ରାଥମିକ ସମିତିର କାର୍ଯ୍ୟକାଳ ସରିବାକୁ ଯାଉଛି । ଏଥିମଧ୍ୟରେ କଟକ-୨ର ସର୍ବାଧିକ ୨୨୦ଟି, ବାଲେଶ୍ୱରର ୧୬୬, ପୁରୀର ୧୧୧ଟି ପ୍ରାଥମିକ ସମିତି ରହିଛି । ଏସବୁ ପ୍ରାଥମିକ ସମବାୟ ସମିତିର କାର୍ଯ୍ୟଭାର ମଧ୍ୟ ଅଫିସରମାନେ ସମ୍ଭାଳିବେ । ମାର୍ଚ୍ଚ ମାସରେ ଆଉ ୬୩ଟି ସମବାୟ ସମିତିର କାର୍ଯ୍ୟକାଳ ଶେଷ ହେବ । ଏଭଳି ଭାବେ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୨୯୮୬ଟି ପ୍ରାଥମିକ ସମବାୟ ସମିତିର କାର୍ଯ୍ୟକାଳ ସରିବ । ସେହିପରି ୧୧୯ଟି କେନ୍ଦ୍ର ସମବାୟ ସମିତି ମଧ୍ୟରୁ ଏପି୍ରଲରେ ୬୭ଟି ଓ ମେ’ରେ ୪୭ଟିର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ନିର୍ବାଚନ ଯିବା ପୂର୍ବରୁ ଆଇନରେ ଆବଶ୍ୟକ ପରିବର୍ତ୍ତନ ଅଣାଯିବା ସହ ସମବାୟ ସମିତିଗୁଡ଼ିକର ଆର୍ଥିକ ସ୍ଥିତିକୁ ସଜାଡ଼ିବା ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ବାଦ୍ ସମବାୟ ସମିତିରେ ଆର୍ଥିକ ଦୁରାବସ୍ଥା ନେଇ ଆସୁଥିବା ବିଭିନ୍ନ ଅଭିଯୋଗ ଉପରେ ମନ୍ତ୍ରୀ ଶୁକ୍ରବାର ଗଣମାଧ୍ୟମରେ ଉତ୍ତର ରଖିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକୁ ଯେଉଁଭଳି ଲାଭାଂଶ ମିଳିବା କଥା ତାହା ମିଳିପାରୁନି । ଜିଲ୍ଲା ସମବାୟ ବ୍ୟାଙ୍କରୁ ପ୍ରାଥମିକ ସମବାୟ ସମିତିକୁ ଉଚିତ ଲାଭାଂଶ ମିଳୁନି । ଏଭଳି ସମସ୍ୟା ପ୍ରାୟ ସବୁ ଜିଲ୍ଲାରେ ରହିଛି । ଏ ରୋଗ ବହୁ ପୁରୁଣା । ଏକ ଉଚ୍ଚସ୍ତରୀୟ କମିଟି ଏହାର ସମାଧାନ ପାଇଁ ନିୟୋଜିତ ହୋଇଛି ।