କାଠଯୋଡି ଓ ମହାନଦୀ ତଟରେ ସୂର୍ଯ୍ୟଦେବଙ୍କୁ ପୂଜିବେ ବିହାରୀ ସଂପ୍ରଦାୟ 

କାଠଯୋଡି ଓ ମହାନଦୀ ତଟରେ ସୂର୍ଯ୍ୟଦେବଙ୍କୁ ପୂଜିବେ ବିହାରୀ ସଂପ୍ରଦାୟ 

ଆସନ୍ତା ନଭେମ୍ବର ୭ ଓ ୮ ତାରିଖରେ ବିହାରୀ ସଂପ୍ରଦାୟ ତଥା ଉତର ଭାରତ ବସବାସୀ ନାଗରିକମାନେ ଦେଶ ବିଦେଶରେ ଛଟ୍ ପୂଜା ପାଳନ କରିବେ। ଏହି ଅବସରରେ କଟକ ସହରରେ ବସବାସ କରୁଥିବା ୩୫ ହଜାର ହିନ୍ଦି ଭାଷାଭାଷୀ ଲୋକମାନେ କାଠଯୋଡି ଓ ମହାନଦୀ ତଟରେ ୭ ତାରିଖ ଅପରାହ୍ନ ରୁ ସଂଧ୍ୟା ମଧ୍ୟରେ ଅସ୍ତଗାମୀ ସୂର‌୍ୟ୍ୟଙ୍କୁ ପୂଜା କରିବେ । ସେହିପରି ୮ ତାରିଖ ଭୋର ସମୟରେ ଉଦିତ ସୂର‌୍ୟ୍ୟଙ୍କୁ ପୂଜା କରିବେ । ଏଥି ପାଇଁ ମଙ୍ଗଳବାର ଠାରୁ ଘରେ ଘରେ ପ୍ରସ୍ତୁତି ଚାଲିବ । ଏହି କ୍ରମରେ କଟକ ମହାନଗର ଛଟ୍ ପୂଜା ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାଠଯୋଡି କୂଳରେ ପୂଜା ପାଇଁ ସମସ୍ତ ବନ୍ଦୋବସ୍ତ ସହ ଆଲୋକ ସଜ୍ଜା ଯିବ । ଏଠାରେ ପ୍ରାୟ ୧୮ ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ଛଟ୍ ପୂଜା ହେଉଛି ବିହାରୀ ସଂପ୍ରଦାୟର ସବୁଠାରୁ ବଡ ପର୍ବ । ଖାସ୍ କରି ବିହାର, ଛତିଶଗତ, ଝାରଖଣ୍ଡ ରାଜ୍ୟରେ ଏହାର ପାଳନ ବ୍ୟାପକ ମାତ୍ରାରେ ହୋଇଥାଏ । ଏହା ସହ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ବିହାରୀ ସଂପ୍ରଦାୟ ବି ଏହାକୁ ସମାନ ଆକାରରେ ପାଳନ କରିଥାନ୍ତି । ଏହି ୨ ଦିନ ଘରର ବିବାହିତ ନାରୀ ଓ ପୁରୁଷମାନେ ଏହାକୁ ଅତି ନିଷ୍ଠାର ସହ ପାଳନ କରି ପରିବାରର ଶୁଭ ମନାସି ଥାନ୍ତି । କଟକରେ ବିହାରୀ ସଂପ୍ରଦାୟର ଏକ ବଡ ଅଂଶ ରହୁଥିବାରୁ କଟକ ଭଳି ଭାଇଚାରା ସହରରେ ଏହାର ପ୍ରତିଫଳନ ବିଶେଷ ଭାବରେ ଦେଖିବାକୁ ମିଳିଥାଏ ।