ଜୋରଜବରଦସ୍ତ ଫାଇନ ହେଉଛି: ପ୍ରଦୀପ ମାଝୀ
ଜୋରଜବରଦସ୍ତ ଫାଇନ ହେଉଛି: ପ୍ରଦୀପ ମାଝୀ
admin
Sep 8, 2019 - 07:46
Updated: Sep 8, 2019 - 07:46
ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼ । ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା । ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ତେବେ ଅଧିକାଂଶ ସ୍ଥାନରେ ପୁଲିସ ଜୋରଜବରଦସ୍ତ ଜୋରିମାନା ଆଦାୟ କରୁଛି । ନୂଆ ମୋଟର ଯାନ ଆଇନ ଲାଗୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ପ୍ରଦୀପ ମାଝୀ ଏହି ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ, ନୂଆ ଆଇନକୁ ସ୍ୱାଗତ କରୁଛୁ । କିନ୍ତୁ ଏହି ଆଇନକୁ ଓଡ଼ିଶାରେ ତରବରିଆଭାବେ ଲାଗୁ କରାଯାଇଛି । ଲୋକଙ୍କୁ ସଚେତ କରାନଯାଇ ଜୋରଜବରଦସ୍ତ ଜୋରିମାନା ଆଦାୟ କରାଯାଉଛି । ଏଥିପ୍ରତି ସରକାର ଦୃଷ୍ଟି ନଦେଲେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଆନେ୍ଦାଳନ କରାଯିବ ବୋଲି ନବରଙ୍ଗପୁର କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ସଡ଼କ ସୁରକ୍ଷା ଆଳରେ ଜୋରିମାନା ଆଦାୟକୁ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଯେ, ଅଧିକ ତର୍ଜମା କରି ଆଇନ ଲାଗୁ କରିଥିଲେ ଭଲ ହୋଇଥାନ୍ତା । ଜଣଙ୍କ ଠାରୁ ଏକସଙ୍ଗେ ଅଧିକ ଜୋରିମାନା କୋକୁଆ ଭୟ ସୃଷ୍ଟି କରିଛି । କେଉଁ ତ୍ରୁଟି ପାଇଁ କେତେ ଜୋରିମାନା କରାଯିବ ସେ ସମ୍ପର୍କରେ ପୁଲିସ ନିଜେ ଜାଣିନାହିଁ । ଗରିବ ଲୋକଙ୍କ ଠାରୁ ସେମାନଙ୍କ ସଞ୍ଚିତ ଅର୍ଥ ଜୋରିମାନା ବାବଦରେ ଆଦାୟ ଶୋଷଣ ସହ ସମାନ । ସରକାରଙ୍କ ଜଣେ ମନ୍ତ୍ରୀ ମଧ୍ୟ ଏହି ଆଇନକୁ ବିରୋଧ କରିଛନ୍ତି । ଶୃଙ୍ଖଳିତ ଉଦ୍ୟମ ଠିକ ମାତ୍ର ଆଳ ଦେଖାଇ ହଇରାଣ ଠିକ ନୁହେଁ ବୋଲି ସେ କହିଛନ୍ତି ।