ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି

ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି

ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି

ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭିତରେ ଯାହା ବି ବିବାଦ ଅଛି, ତାର ସମାଧାନ ବାଟ ବାହାରିବ। ଉଭୟ ରାଜ୍ୟର ମୁଖ୍ୟ ସଚିବଙ୍କ ନେତୃତ୍ୱରେ ଟିମ ଏ ଦିଗରେ କାମ କରିବେ। ଏ ଦିଗରେ ଓଡ଼ିଶା ସରକାର ଆଗେଛନ୍ତି,ବିବାଦ ସମାଧାନ ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି କମିଟି। ଏହି କମିଟିରେ ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କମିଟିରେ ଅଧ୍ୟକ୍ଷଙ୍କ ସମେତ ୮ ପ୍ରଶାସନିକ ଅଧିକାରୀ ସ୍ଥାନ ପାଇଛନ୍ତି। କମିଟିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ ଓ ଜଳସମ୍ପଦ ସଚିବ, ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ସଚିବ ସ୍ଥାନ ପାଇଛନ୍ତି।

ଗତ ୯ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ବୈଠକରେ ନିଷ୍ପତ୍ତି ହେଲା, ସବୁ ବିବାଦ ପ୍ରସଙ୍ଗରେ ଦୁଇ ରାଜ୍ୟ ଏକାଠି ମିଶି କାମ କରିବେ। ଦୁଇ ମୁଖ୍ୟମନ୍ତ୍ରୀ ଏ ନେଇ ମିଳିତ ବିବୃତି ଜାରି କରିଥିଲେ। ସେଥିରେ ମୁଖ୍ୟତଃ ଜଳସମ୍ପଦ, ସୀମା ବିବାଦ, ଶକ୍ତି ଓ ନକ୍ସଲ ପ୍ରସଙ୍ଗ ପ୍ରମୁଖ ସ୍ଥାନ ପାଇଥିଲା। ଦୁଇ ରାଜ୍ୟ ସରକାର କୋଟିଆ ଗ୍ରାମପୁଞ୍ଜ, ନେରେଡ଼ି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ, ବାହୁଡ଼ା ନଦୀରୁ ଜଳ ଛାଡ଼ିବା, ଜଳବିଦ୍ୟୁତ ଉତ୍ପାଦନ ହେଉଥିବା ବାଲିମେଳା ଓ ଉପର ସିଲେର ପାଇଁ ମିଳିତ ଅନାପତ୍ତି ପ୍ରମାଣପତ୍ର ନିମନ୍ତେ ଏକାଠି କାମ କରିବାକୁ ସହମତି ହୋଇଥିଲା। ସେହିପରି ନକ୍ସଲ ସମସ୍ୟା ଓ ଗଞ୍ଜେଇ ଚାଷ ସମସ୍ୟାର ମୁକାବିଲା ପାଇଁ ଦୁଇ ରାଜ୍ୟ ସରକାର ପରସ୍ପରକୁ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।