ଆର୍‌ଟିଓରେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ : ଆରମ୍ଭ ହେବ ଟୋକନ୍‌ ବ୍ୟବସ୍ଥା

ଆର୍‌ଟିଓରେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ : ଆରମ୍ଭ ହେବ ଟୋକନ୍‌ ବ୍ୟବସ୍ଥା

ଆର୍‌ଟିଓରେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ  : ଆରମ୍ଭ ହେବ ଟୋକନ୍‌ ବ୍ୟବସ୍ଥା
କଟକ: ଡ୍ରାଇଭିଂ ଲାଇସେନ୍ସ ହେଉ ଅବା ଗାଡ଼ି ରେଜିଷ୍ଟ୍ରେସନ୍‌ କିମ୍ବା ଯାନବାହନ ସଂପର୍କିତ ଅନ୍ୟ କୌଣସି କାଗଜପତ୍ରଟ୍ଟଏଣିକି ଆଉ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ (ଆର୍‌ଟିଓ)ରେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ । ଆର୍‌ଟିଓରେ କୌଣସି କାର୍ୟ୍ୟ ଲାଗି ପହଞ୍ଚିବା କ୍ଷଣି ମିଳିଯିବ ଟୋକନ୍‌ । ଏହି ଟୋକନ୍‌ ମିଳିବା ପରେ ଆବେଦନକାରୀଙ୍କ କାମ କେତେବେଳେ ଆରମ୍ଭ ହେବ ସେ ସଂକ୍ରାନ୍ତରେ ମୋବାଇଲ୍‌କୁ ମେସେଜ୍‌ ଆସିଯିବ । ସେହିପରି ଆବେଦନକାରୀ ପ୍ରତୀକ୍ଷା ଗୃହରେ ଅପେକ୍ଷା କରିଥିଲା ବେଳେ ସେଠାରେ ଥିବା କମ୍ପ୍ୟୁଟର ଡିସ୍‌ପ୍ଲେ ବୋର୍ଡରେ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦିଆଯିବ । ଫଳରେ ଜଣେ ବ୍ୟକ୍ତିଙ୍କ କ୍ରମିକ ନମ୍ବର କେତେବେଳେ ଆସିବ ତାହା ସ୍ପଷ୍ଟ ହୋଇଯିବ । ପ୍ରଥମେ ରାଜ୍ୟର କଟକ ସମେତ ୮ଟି ଆରଟିଓରେ ଏହି ଟୋକନ୍‌ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଏଥିପାଇଁ ୨କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଯୋଜନା କରାଯାଇଛି । ଏଭଳି ବ୍ୟବସ୍ଥା ଦ୍ୱାରା ଆର୍‌ଟିଓରେ ଅଯଥା ଗହଳି କମିବ ଓ ଲୋକେ ସୁବିଧାରେ ସେବା ପାଇପାରିବେ ବୋଲି ଆଶା କରାଯାଉଛି । ଏଭଳି ନୂଆ ବ୍ୟବସ୍ଥା କାର୍ୟ୍ୟକାରିତା ପାଇଁ ଆଜି ରାଜ୍ୟ ପରିବହନ କମିସନର (ଏସ୍‌ଟିଏ) ଏବଂ ନ୍ୟାସନାଲ ସ୍ମଲ୍‌ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ (ଏନ୍‌ଏସ୍‌ଆଇସି) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର (ଏମ୍‌ଓୟୁ) ହୋଇଛି । ଏସ୍‌ଟିଏ କମିସନର ସଞ୍ଜୀବ ପଣ୍ଡାଙ୍କ ଉପସ୍ଥିତିରେ ଏସ୍‌ଟିଏ ଅତିରିକ୍ତ କମିସନର (ଟେକ୍ନିକାଲ) ମନୋରଂଜନ ଲୋଧା, ଏନ୍‌ଏସ୍‌ଆଇସିର ବରିଷ୍ଠ ଶାଖା ପରିଚାଳକ ଡ. ଅନୁପମ ଗାଏନ୍‌, ନୀତି ଶେଖର (ଏନ୍‌ଫୋର୍ସମେଣ୍ଟ), ଶ୍ରୀନିବାସ ବେହେରା (ପ୍ରଶାସନ) ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ସୂଚନା ଥାଉ କି, ସଂଶୋଧିତ ମୋଟର ଭେଇକିଲ୍‌ ଆଇନ ଲାଗୁ ପରେ ବିଭିନ୍ନ ଆର୍‌ଟିଓରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହେଉଛି । ଏଥିପାଇଁ ଘଣ୍ଟାଘଣ୍ଟା ହିତାଧିକାରୀମାନଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡୁଛି । ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଆର୍‌ଟିଓରେ ଆଉ ଏଭଳି ଧାଡ଼ି ହେବ ନାହିଁ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି ।