ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଜାଣନ୍ତୁ କେଉଁ ପ୍ରସଙ୍ଗରେ ହେବ ଆଲୋଚନା
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଜାଣନ୍ତୁ କେଉଁ ପ୍ରସଙ୍ଗରେ ହେବ ଆଲୋଚନା
ପୁରୀ: ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ପରିଚଳନା କମିଟି ବୈଠକ ଡକାଯାଇଛି । କିନ୍ତୁ ଭିତର ରତ୍ନଭଣ୍ଡାର ଖୋଲିବା, ମରାମତି କରିବା ପ୍ରସଙ୍ଗ ଶୀତଳ ପଡ଼ିଯାଇଛି । ସେବାୟତମାନେ ଆଶା କରୁଛନ୍ତି, ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଏହି ପ୍ରସଙ୍ଗ ବୈଠକରେ ଉଠାଇବେ । ବୈଠକ କାର୍ୟ୍ୟସୂଚି(ଏଜେଣ୍ଡାରେ ଭିତର ରତ୍ନଭଣ୍ଡାର ପ୍ରସଙ୍ଗ ସ୍ଥାନ ପାଇ ନାହିଁ । କିନ୍ତୁ କମିଟି ସଭାପତିଙ୍କ ଅନୁମତି କ୍ରମେ ଅନ୍ୟ ପ୍ରସଙ୍ଗ ଉଠିବା ନେଇ ଏଜେଣ୍ଡାରେ ଉଲ୍ଲେଖ ରହିଛି । ତେଣୁ ଗଜପତି ମହାରାଜା ତଥା କମିଟି ସଭାପତିଙ୍କ ଅନୁମତି କ୍ରମେ ଏହି ସ୍ୱର୍ଶକାତର ପ୍ରସଙ୍ଗ ଉଠିବା ନେଇ ଆଶା କରାଯାଇଛି ।
ବୈଠକର ଏଜେଣ୍ଡାରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ସ୍ଥାନିତ ହୋଇଛି । ସେବାୟତଙ୍କ ପିଲାଙ୍କ ପାଇଁ ପ୍ରସ୍ତାବିତ ଶ୍ରୀମନ୍ଦିର ଗୁରୁକୁଳ ନିର୍ମାଣ ପ୍ରସ୍ତୁତିର ଅଗ୍ରଗତି ଅନ୍ୟତମ ପ୍ରସଙ୍ଗ ରହିଛି । ସ୍ମରଣୀୟ, ସୁପ୍ରିମକୋର୍ଟ ଏହି ଗୁରୁକୁଳ ନିର୍ମାଣ ନିମନ୍ତେ ୬ କୋଟିରୁ ଅଧିକ ଅନୁଦାନ ପ୍ରଦାନ କରିଛନ୍ତି । ଗୁରୁକୁଳ ପରିଚାଳନା ପାଇଁ ଏକ କମିଟି ଗଠନ ହୋଇଛି । ଏହି କମିଟି ପଞ୍ଜୀକରଣ ନେଇ ସଭାରେ ଆଲୋଚନା ହେବ । ତା ବ୍ୟତୀତ ଗୁରୁକୁଳ ଚଳାଇବାକୁ ଏକ କମ୍ପାନି ସହ ଚୁକ୍ତି ସ୍ୱାକ୍ଷର ହେବ ।
ଏହିସବୁ ବିଷୟ ବ୍ୟତୀତ ସେବାୟତଙ୍କୁ ଆବାସ ଯୋଜନାରେ ଜମି ଅଧିଗ୍ରହଣ, ଜମି ସୁରକ୍ଷା, ପାଚେରି ନିର୍ମାଣ ଆଦି ପ୍ରସଙ୍ଗ ବି ସଭାରେ ଉଠିବ । ମାଲିମକଦ୍ଦମା କାରଣରୁ ଶ୍ରୀମନ୍ଦିର ଭୂସମ୍ପତ୍ତି ବିକ୍ରିରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗ ବି ବୈଠକରେ ଉଠିବା ସୂଚନା ମିଳିଛି । ସର୍ବୋପରି ମହାପ୍ରଭୁଙ୍କ କାର୍ତ୍ତିକ ମାସର ନୀତି, ଚନ୍ଦ୍ରଗ୍ରହଣ ଓ ସୂର୍ୟ୍ୟୋପରାଗ ନୀତି ଉପରେ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛ ।




admin 