ଆଗାମୀ ରବିବାର ଦିନ ସୋସିଆଲିଜିମ ବିବାହ କରିବେ ମମତା ବାନାର୍ଜୀଙ୍କୁ

ଆଗାମୀ ରବିବାର ଦିନ ସୋସିଆଲିଜିମ ବିବାହ କରିବେ ମମତା ବାନାର୍ଜୀଙ୍କୁ

ଆଗାମୀ ରବିବାର ଦିନ ସୋସିଆଲିଜିମ ବିବାହ କରିବେ ମମତା ବାନାର୍ଜୀଙ୍କୁ
ତାମିଲନାଡୁ : ଆଗାମୀ ରବିବାର ସୋସିଆଲିଜିମ ବିବାହ କରିବେ ମମତା ବାନାର୍ଜୀଙ୍କୁ । ତାମିଲନାଡୁର ସାଲେମ ଜିଲ୍ଲାରେ ହେବାକୁ ଥିବା ଏହି ଚର୍ଚ୍ଚିତ ବାହାଘରର ନିମନ୍ତ୍ରଣପତ୍ର ବଣ୍ଟନ ଏବେ ଖବରର ଶିରୋନାମା ପାଲଟିଛି । ଏପରିକି କମୁ୍ୟନିଜିମ ଓ ଲେନିନିଜିମ ପରିବାରରେ ମମତା ବାନାର୍ଜୀ ସାମିଲ ହେବାକୁ ଯାଉଥିବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି । ଖବରଟି କାହାକୁ ଅଡୁଆ ଲାଗୁଥିଲେ ବି ଏଇ ଦୁଇ ଦିନ ଭିତରେ ମମତା ବାନାର୍ଜୀ ନାମ୍ନୀ କନ୍ୟା ଓ ସୋସିଆଲିଜିମ ନାମକ ବର ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି । ସୂଚନାନୁଯାୟୀ, ସାଲେମର ସିପିଆଇ ନେତା ତଥା ଜିଲ୍ଲା ସମ୍ପାଦକ ଏ ମୋହନଙ୍କ ତୃତୀୟ ପୁଅ ହେଉଛନ୍ତି ଏହି ସୋସିଆଲିଜିମ । ମୋହନଙ୍କର ଅନ୍ୟ ଦୁଇ ପୁଅଙ୍କ ନାମ ହେଲା କମୁ୍ୟନିଜିମ ଓ ଲେନିନିଜିମ୍ । ୨୦୧୬ ବିଧାନସଭା ନିର୍ବାଚନରେ ପିଡବ୍ଲୁ୍ୟଏ ଦଳ ତରଫରୁ ମୋହନ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ତାଙ୍କ ପରିବାରର ସମସ୍ତେ ପାରମ୍ପରିକ ଭାବେ ସାମ୍ୟବାଦକୁ ଅନୁସରଣ କରି ଆସୁଛନ୍ତି । ଅପରପକ୍ଷେ, ମୋହନଙ୍କ ଭାବୀ ସମୁଦୀ ଦୃଢ଼ କଂଗ୍ରେସ ସମର୍ଥକ ହୋଇଥିବା ବେଳେ ସେ ତାଙ୍କ ଝିଅର ନାମ ପୂର୍ବରୁ କଂଗ୍ରେସରେ ଥିବା ମମତା ବାନାର୍ଜୀଙ୍କ ନାମାନୁସାରେ ରଖିଛନ୍ତି । ତେବେ ଏଭଳି ନାମଧାରୀ ବରକନ୍ୟାଙ୍କ ଶୁଭ ପରିଣୟକୁ ସ୍ଥାନୀୟ ଲୋକେ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।