ଅପରାଜିତାଙ୍କ ଟିମରେ ପୃଥ୍ୱୀରାଜ ଓ ଭୃଗୁ
ଅପରାଜିତାଙ୍କ ଟିମରେ ପୃଥ୍ୱୀରାଜ ଓ ଭୃଗୁ
ଭୁବନେଶ୍ୱର : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟିମରେ ସାମିଲ ହୋଇଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଓ ଭ୍ରୁଗୁ ବକ୍ସିପାତ୍ର । ପୃଥ୍ୱୀରାଜ ଓ ଭ୍ରୁଗୁ ରାଜ୍ୟ ବିଜେପିର ଚେହେରା ହୋଇଥିବାବେଳେ ସେମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟରୀର ବୋଲି ସମସ୍ତେ ଜାଣନ୍ତି । ତେଣୁ ଏଭଳି ଶୀର୍ଷକ ଦେଖି ଅନେକ ବିଜେପି ନେତା ନିଶ୍ଚିତ ଭାବେ ତାଜୁବ ହେଉଥିବେ । କିନ୍ତୁ ବାସ୍ତବରେ ଏହି ଦୁଇ ଯୁବ ନେତା ଏବେ ଅପରାଜିତାଙ୍କ ଟିମରେ ସାମିଲ ହୋଇ ଗୁଜୁରାଟ ଗସ୍ତରେ ଅଛନ୍ତି ।
ଗୁଜୁରାଟ ମଡେ଼ଲ ଦେଖାଇ ନରେନ୍ଦ୍ର ମୋଦି ସାରା ଭାରତରେ କିମିଆ କରିଥିଲେ । ଟିଭି ହେଉକି ଖବରକାଗଜ ସବୁଠି ଗୁଜୁରାଟ ମଡେ଼ଲକୁ ନେଇ ଚର୍ଚ୍ଚା ହେଉଥିଲା । କଥାକଥାକେ ବିଜେପି ନେତାମାନେ ଗୁଜରାଟ ମଡେ଼ଲ କଥା ହିଁ ବଖାଣୁଥିଲେ । ତେବେ ରାଜ୍ୟ ବିଜେପି ନେତାମାନଙ୍କର ଅନେକ ଦିନ ପରେ ନିଦ ଭାଙ୍ଗିଛି । ଗୁଜୁରାଟ ମଡେ଼ଲ ଦେଖିବା ପାଇଁ ଗୋଟିଏ ଟିମ ଗୁଜୁରାଟ ଗସ୍ତ କରିଛି । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଟିମ ଗୁଜୁରାଟ ଗସ୍ତରେ ଥିବାବେଳେ ସେମାନେ ଗୁଜୁରାଟ ବିକାଶର ମଡେ଼ଲକୁ ଅନୁଧ୍ୟାନ କରୁଛନ୍ତି ।
ଏହି ଟିମରେ ଅପରାଜିତାଙ୍କ ସହ ଯାଇଛନ୍ତି ପୃଥ୍ୱରାଜ ହରିଚନ୍ଦନ, ଭ୍ରୁଗ ବକ୍ସିପାତ୍ର, ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ସଂଗଠନ ମନ୍ତ୍ରୀ ଶାରଦା ପ୍ରସାଦ ଶତପଥି ଓ ପ୍ରକାଶ ବିଜୁଳି ପ୍ରମୁଖ । ଗସ୍ତକାଳରେ ନେତାମାନେ ଗୁଜୁରାଟ ସରକାରଙ୍କ ବିଭିନ୍ନ ମଡେ଼ଲକୁ ଅନୁଶୀଳନ କରିବା ସହ ସାଂଗଠନିକ ଶକ୍ତି ବୃଦ୍ଧି ସଂକ୍ରାନ୍ତରେ ବି ଟିପସ ଆଣିଥିବା କୁହାଯାଉଛି । ଗୋଟିଏ ପଟେ ଆଜି ଠାରୁ ପିପିଲିରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଥିବାବେଳେ ଆଗଧାଡ଼ିର ନେତାମାନେ କେବେ ଗୁଜୁରାଟରୁ ଫେରି ନିର୍ବାଚନୀ ପ୍ରଚାର କରିବେ ତାହା ଉପରେ ନଜର ରହିଛି ।




admin 