ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ ପାଇଁ
ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ ପାଇଁ
ଭୁବନେଶ୍ବର: କାମାକ୍ଷାନଗର ଉପଖଣ୍ଡର ମୁକ୍ତାପଶି ଛକରେ ଭୟଙ୍କର ସଡକ ଦୁର୍ଘଟଣା । ଅଟୋକୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ୫୩ନମ୍ବର ଜାତୀୟ ରାଜପଥରେ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସମସ୍ତ ମୃତକ ହେଉଛନ୍ତି କାମାକ୍ଷାନଗର ଥାନା ଅନ୍ତର୍ଗତ ବାଙ୍ଗୁରା ଗାଁର । ସେମାନେ ହେଲେ ଆଦିକନ୍ଦ ସାମଲ,ବଣ୍ଟି ସାମଲ,ପହଲି ସାମଲ,ଅକୁର ସାମଲ ଓ ଅଙ୍କୁରଙ୍କ ୧୦ବର୍ଷର ପୁଅ କାଳିଆ ସାମଲ ବୋଲି ଜଣାପଡିଛି ।
ଏହି ଦୁଃଖଦ ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏଥି ସହ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ୫ ମୃତକଙ୍କ ପରିବାକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।
ପ୍ରକାଶ ଯେ ଆଜି ସକାଳ ସମୟରେ ମୁକ୍ତାପଶି ଗ୍ରାମକୁ ମହୁଲ ପେଶାଇବାକୁ ଏକ ଅଟୋ ଯୋଗେ ସମସ୍ତେ ବାହାରିଥିଲେ । ତେବେ ଜାତୀୟ ରାଜପଥ ୫୩ ମୁକ୍ତାପଶି ଗ୍ରାମ ନିକଟରେ ତାଳଚେରରୁ ଆସୁଥିବା ଏଜ କୋଇଲା ବୋଝେଇ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା ।ଏନେଇ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରିଥିଲା । ହେଲେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଡ୍ରାଇଭର । ସେପଟେ ସଡକ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ଜୀବନ ଚାଲିଯାଇଥିବାରୁ ବାଙ୍ଗୁରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।