ଅଗଷ୍ଟ ସରିଲା, ୨୩ ଜିଲ୍ଲା ଶୁଖିଲା
ଅଗଷ୍ଟ ସରିଲା, ୨୩ ଜିଲ୍ଲା ଶୁଖିଲା

ଭୁବନେଶ୍ୱର: ମୌସୁମୀ ପ୍ରତାରଣାରେ ଓଡ଼ିଶା ଶୁଖିଲା । ଚାଷ ଜମି ଫାଟି ଆଁ କରିଛି । ଅଗଷ୍ଟ ମାସ ସରିଛି ବର୍ଷା ଅଭାବରେ । ଜୁନରୁ ଆଜି ପର୍ଯ୍ୟନ୍ତ ଯେତିକି ବର୍ଷା ହୋଇଛି, ତାହା ସ୍ୱାଭାବିକଠାରୁ ୨୯% କମ୍ । ୨୩ ଜିଲ୍ଲାରେ ବର୍ଷା ଅଭାବ ସ୍ଥିତି ଉପଜୁଛି । ଏଥିରୁ ୬ଟି ଜିଲ୍ଲାର ଅବସ୍ଥା ପୂରା ସାଂଘାତିକ । ଏଇ ୬ ଜିଲ୍ଲାରେ ସ୍ୱାଭାବିକ ତୁଳନାରେ ୩୯%ରୁ ୫୯% ପର୍ଯ୍ୟନ୍ତ ବର୍ଷା କମ୍ ହୋଇଛି ।
ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ କହୁଛି, ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୪୦.୪% କମ୍ ବର୍ଷା ହୋଇଥିବାବେଳେ ସମ୍ବଲପୁରରେ ୪୧.୩%, ଅନୁଗୁଳରେ ୪୪.୨%, ଯାଜପୁରରେ ୪୬.୧%, ଭଦ୍ରକରେ ୪୭.୮%, ଭଦ୍ରକରେ ୪୭.୮%, ବୌଦ୍ଧରେ ୪୮.୮% କମ୍ ବର୍ଷା ହୋଇଛି । ଏହାବାଦ୍ ନବରଙ୍ଗପୁର, ପୁରୀ, ଗଜପତି, ନୂଆପଡ଼ା, ରାୟଗଡ଼ା, କେନ୍ଦ୍ରାପଡ଼ା, କଳାହାଣ୍ଡି, ବାଲେଶ୍ୱର, ଢେଙ୍କାନାଳ, ସୋନପୁର, ମୟୂରଭଞ୍ଜ, ବରଗଡ଼, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ବଲାଙ୍ଗିର, ଦେବଗଡ଼ରେ ବର୍ଷା ସ୍ୱାଭାବିକଠାରୁ କମ୍ ରହିଛି । ଏହି ୧୭ ଜିଲ୍ଲାରେ ୧୯%ରୁ ୩୯% ପର୍ଯ୍ୟନ୍ତ ବର୍ଷା କମ୍ ହୋଇଛି । ସ୍ୱାଭାବିକ ବର୍ଷା ତାଲିକାରେ ରହିଛି ୭ ଜିଲ୍ଲା (କଟକ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ଜଗତସିଂହପୁର) । କୌଣସି ଜିଲ୍ଲାରେ ବୁନ୍ଦାଏ ଅଧିକ ବର୍ଷା ରେକର୍ଡ ହୋଇନି ।
ବର୍ଷା ଅଭାବରୁ ଏ ବର୍ଷ ମରୁଡ଼ି ଆଶଙ୍କା ଦେଖାଦେଇଛି । ଅନୁମାନ କରାଯାଉଛି, ସେପ୍ଟେମ୍ବର ପ୍ରଥମ ସପ୍ତାହ ଶେଷବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ବର୍ଷା ବଢ଼ିବ ।