ଅତିରିକ୍ତ ଉପଜିଲ୍ଲାପାଳଙ୍କ ପଡ଼ୋଶୀଙ୍କ ଛାତରୁ ମିଳିଲା ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପ୍ୟାକେଟ୍

ଅତିରିକ୍ତ ଉପଜିଲ୍ଲାପାଳଙ୍କ ପଡ଼ୋଶୀଙ୍କ ଛାତରୁ ମିଳିଲା ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପ୍ୟାକେଟ୍

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ରାଜଧାନୀର କାନନ ବିହାରସ୍ଥିତ ବାସଭବନରେ ଚଢ଼ଉ କରିବାକୁ ପହଞ୍ଚିଥିଲା। ସେତିକିବେଳେ ପ୍ରଶାନ୍ତ କୁମାର ରାଉତଙ୍କ ପଡ଼ୋଶୀଙ୍କ ଛାତ ଉପରୁ ଠୋଠା ଶବ୍ଦ ଶୁଭିଲା। ଭିଜିଲାନ୍ସ ଟିମ୍ କାଳ ବିଳମ୍ବ ନ କରି ପଡ଼ୋଶୀଙ୍କ କଲିଂ ବେଲ୍ ଚିପି ଡାକିଥିଲେ। ପଡ଼ୋଶୀ ମଧ୍ୟ ଗେଟ୍ ଖୋଲିଲେ। ହେଲେ ସେ କିଛି ବୁଝିପାରି ନଥିଲେ। ଭିଜିଲାନ୍ସ ଟିମର କିଛି ସଦସ୍ୟ ପଡ଼ୋଶୀଙ୍କ ଛାତ ଉପରକୁ ଗଲେ। ସେଠାରେ ଯାହା ଦେଖିଲେ, ସେଥିରେ ସେମାନେ ଆଚମ୍ବିତ ହୋଇଥିଲେ। ଭିଜିଲାନ୍ସ ଟିମ୍ ଛାତ ଉପରୁ ବିଡ଼ାବିଡ଼ା ୫ଶହ ଟଙ୍କିଆ ଭର୍ତ୍ତି ୬ଟି ପ୍ୟାକେଟ୍ ଜବତ କଲେ। ଜବତ ଅର୍ଥର ପରିମାଣ ୨ କୋଟି ହେବ ବୋଲି କୁହାଯାଉଛି।

ଅନୁମାନ କରାଯାଉଥିଲା ଯେ ଏହି ଟଙ୍କା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କର। ସେ ଭିଜିଲାନ୍ସ ଟିମ୍ ଆସିଥିବା ଜାଣି ଘରେ ନଥିଲେ ବି ପରିବାର ଲୋକଙ୍କୁ ପଡ଼ୋଶୀଙ୍କ ଛାତକୁ ସେହି ୬ ପ୍ୟାକେଟ୍ ଟଙ୍କା ବିଡ଼ା ଫିଙ୍ଗିଦେବାକୁ କହିଥିଲେ। ଏହାପରେ ପରିବାର ଲୋକେ ପଡ଼ୋଶୀଙ୍କ ଛାତ ଉପରକୁ ଟଙ୍କା ପ୍ୟାକେଟ୍ ଫିଙ୍ଗିଦେଇଥିଲେ। କିନ୍ତୁ ଟଙ୍କା ବିଷୟରେ କିଛି ଜାଣି ନଥିବା ଗଣମାଧ୍ୟମକୁ କହିଥିଲେ ପରିବାର ଲୋକେ। ଏନେଇ ଭିଜିଲାନ୍ସ ଟିମ୍ ଖୋଳତାଡ଼ କରୁଛି।

ସୂଚନାଯୋଗ୍ୟ, ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ, କାର୍ୟ୍ୟାଳୟ, ଭଦ୍ରକ ଓ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ଜଣାଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।