ଆଜି ବିରୋଧୀଙ୍କ ମହାବୈଠକ
ନୂଆଦିଲ୍ଲୀ: ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ଶୁକ୍ରବାର ପାଟନା ଠାରେ ବିଜେପି ବିରୋଧୀ ଦଳଗୁଡ଼ିକର ମହାବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକରେ ‘ରୋଡ୍ମ୍ୟାପ୍’ ପ୍ରସ୍ତୁତ ହେବ। ଏଥିପାଇଁ ପ୍ରାୟ ୨୦ଟି ରାଜନୈତିକ ଦଳ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିବେ। କେନ୍ଦ୍ରର କୌଣସି ଶାସକ ଦଳ ବିରୋଧରେ ଏତେ ସଂଖ୍ୟକ ଆଞ୍ଚଳିକ ଏବଂ ଜାତୀୟ ଦଳ ଏକାଠି ହେବା ଭାରତୀୟ ରାଜନୈତିକ ଇତିହାସରେ ପ୍ରଥମ ବୋଲି କୁହାଯାଉଛି।
ଏହି ବୈଠକରେ କଂଗ୍ରେସ ସମେତ ଟିମଏସି, ଏନସିପି, ଟିଡିପି, ଡିଏମକେ, ଆମ ଆଦମୀ ପାର୍ଟି, ଶିବସେନା(ୟୁବିଟି), ଆରଜେଡି ଏବଂ ଜେଏମଏମ୍ ଭଳି ବହୁ ଦଳର ନେତା ଯୋଗ ଦେବାକୁ ଯାଉଛନ୍ତି। ଏହି କାର୍ୟ୍ୟକ୍ରମ ପାଇଁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଗୁରୁବାର ସନ୍ଧ୍ୟାରେ ପାଟନାରେ ପହଞ୍ଚି ଆରେଜଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଏବଂ ନୀତୀଶଙ୍କୁ ଭେଟିଛନ୍ତି। ସେହିପରି ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ମଧ୍ୟ ପାଟନାରେ ପହଞ୍ଚିସାରିଥ୍ଖବା ଜଣାପଡ଼ିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମଧ୍ୟରାତ୍ରରେ ବିଦେଶରୁ ଫେରିବା ପରେ ଆଜି ଏକ ଘରୋଇ ବିମାନ ଯୋଗେ ଦଳୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ପାଟନାରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆରଏଲଡି ନେତା ଜୟନ୍ତ ଚୌଧୁରୀ ଏହି ବୈଠକରେ ଯୋଗ ଦେଉ ନଥିବା ସ୍ପଷ୍ଟ କରିଛନ୍ତି। ତେବେ ଯେଉଁ ଉଦ୍ଦେଶ୍ୟରେ ଏହି ବୈଠକର ଆୟୋଜନ କରାଯାଇଛି ତାହାକୁ ସଫଳ କରିବାକୁ ସବୁଦଳ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ବିରୋଧରେ ଏକ ପରିବାର ଭଳି ଆମେ ଲଢେଇ କରିବୁ ବୋଲି ମମତା କହିଛନ୍ତି।




admin 