ଅନ୍ତିମ ପର୍ଯ୍ୟାୟରେ ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ

ଅନ୍ତିମ ପର୍ଯ୍ୟାୟରେ ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ

ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡି ପଡିଥିବା ନିର୍ମାଣାଧୀନ ସିଲ୍କୟାରା ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ନିମନ୍ତେ ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏ ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇ କହିଛନ୍ତି, ଉଦ୍ଧାର କାର୍ୟ୍ୟ ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଥିବାରୁ ଘଟଣାସ୍ଥଳରେ ୨୦ଟି ଆମ୍ବୁଲାନ୍ସ ରଖାଯାଇଛି। ଆମ୍ବୁଲାନ୍ସ ଯୋଗେ ଶ୍ରମିକମାନଙ୍କୁ ଡାକ୍ତରଖାନା ନିଆଯିବା ସହିତ ସେମାନଙ୍କ ନିମନ୍ତେ ବ୍ୟାପକ ସ୍ବାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ହେଉଥିବା ଡ୍ରିଲିଂ (ଗାତ) ଶେଷ ହେବା ଲାଗି ଆଉ ମାତ୍ର ୧୮ ମିଟର ବାକି ରହିଛି ଗାତ ମଧ୍ୟରେ ୮୦୦ ମିମି ବ୍ୟାସ ବିଶିଷ୍ଟ ବଡ ଗୋଲାକାର ପାଇପ୍ ଭର୍ତ୍ତି କରାଯାଉଛି। ମୋଟ ୫୭ ମିଟର ଅତଡା ଦେଇ ଏହି ପାଇପ୍ ଭର୍ତ୍ତି କରାଯିବାକୁ ଥିବାବେଳେ ୩୯ମିଟର ପର୍ୟ୍ୟନ୍ତ କାର୍ୟ୍ୟ ଶେଷ ହୋଇଛି। ଅବଶିଷ୍ଟ ୧୮ ମିଟର ପାଇପ୍ ଭର୍ତ୍ତି ଶେଷ ହେବା ପରେ ଶ୍ରମିକଙ୍କୁ ଏହି ବାଟ ଦେଇ ବାହାରକୁ ଅଣାଯିବ। ଉଦ୍ଧାର କାର୍ୟ୍ୟ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି ଯେ ଉଦ୍ଧାର କାର୍ୟ୍ୟ ଯଦି ଯୋଜନା ଅନୁଯାୟୀ ଚାଲୁ ରୁହେ ତେବେ ଗୁରୁବାର ଶ୍ରମିକମାନଙ୍କୁ ବାହାରକୁ ଅଣାଯିବ। କେନ୍ଦ୍ର ସଡକ ପରିବହନ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡକରୀ ଉଦ୍ଧାର କାର୍ୟ୍ୟର ପ୍ରତିଟି ଦିଗକୁ ଅନୁଧ୍ୟାନ କରୁଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉଦ୍ଧାର କାର୍ୟ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଫସି ରହିଥିବା ଶ୍ରମିକମାନଙ୍କ ନିକଟକୁ ଖାଦ୍ୟ, ଜରୁରୀ ଜିନିଷ ଔଷଧ ପତ୍ର ପଠାଯିବା ବାବଦରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଛନ୍ତି।