ବୁଧବାର ମହାସପ୍ତମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ତ୍ରି ଦିନାତ୍ମକ ପୂଜା

ବୁଧବାର ମହାସପ୍ତମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ତ୍ରି ଦିନାତ୍ମକ ପୂଜା

ଶ୍ରୀକ୍ଷେତ୍ରର ସର୍ବବୃହତ ଗୋଶାଣୀ ହେଉଛନ୍ତି ମାଆ ବାରବାଟୀ । ଶ୍ରୀମନ୍ଦିର ସିଂହଦ୍ୱାର  ଠାରୁ ଦକ୍ଷିଣଦ୍ୱାର ଦେଇ  ଲୋକନାଥଙ୍କ ରାସ୍ତାରେ ଗଲାବେଳେ ଟିକେ ବାଆଁକୁ ପଡେ ବାରବାଟୀ ସାହି ଓ ସେହିଠାରେ ବାରବାଟୀ ଜାଗାରେ ପୂଜା ପାଇଥାନ୍ତି ମାଆ ବାରବାଟୀ । ପ୍ରାୟ ୨୦ ରୁ ୨୨ ଫୁଟର  ଉଚ୍ଚତା ବିଶିଷ୍ଠ ଏହି ପ୍ରକାଣ୍ଡ ମାଟି ମୂର୍ତ୍ତି ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ। ରାଧାଷ୍ଟମୀ ଠାରୁ କିଳା ବାଡିଆ ହୋଇ ପାରମ୍ପରିକ ଶୈଳୀରେ ମାଆଙ୍କ ମୂର୍ତ୍ତି କାମ ଆରମ୍ଭ ହୁଏ । ପ୍ରାୟ ଗୋଟିଏ ମାସ ମଧ୍ୟରେ ସନ୍ତରା, ଛଣ ଓ କତାରେ ଭଲଭାବରେ ଛାଞ୍ଚକୁ ବନ୍ଧାଯାଏ । ଦଶମୀରେ ମାଟିବୋଳା କାର୍ଯ୍ୟ ଆରମ୍ଭ ହୋଇ  ପତଳା ପରସ୍ତର ମାଟି  ଲାଗିଥାଏ । ଏହାପରେ ତାଙ୍କୁ ଲୁଗା ପିନ୍ଧାଇ ପୂର୍ଣରୂପରେ ସଜେଇଥାଆନ୍ତି କାରିଗର ।  ମା ବାରବାଟୀଙ୍କ ବିଗ୍ରହର ଶାଢ଼ୀ ଉପରେ ଯେଉଁ ଅନେକ ବର୍ଗାକାରର ଡିଜାଇନ ହୋଇଥାଏ ତାହା ପାରମ୍ପରିକ ଚାନ୍ଦିର ଟିକିଲି ଗୁଡ଼ିକରେ କରାଯାଏ। ଆସନ୍ତା ବୁଧବାର ମହାସପ୍ତମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ତ୍ରି ଦିନାତ୍ମକ ପୂଜା |  ଘିଅଅନ୍ନ,କାନିକା,ଡାଲି,ବେସର,ମହୁର,ଦହି ପଖାଳ,ମଞ୍ଜି ଭଜା,ମାଛ ଭଜା ଭଳି ମା ଙ୍କ ପାଖରେ ଅନେକ ସୁସ୍ୱାଦୁ ଭୋଗର ଆୟୋଜନ ଶ୍ରଦ୍ଧାଳୁଙ୍କ ପାଇଁ ହୋଇଥାଏ ।ଶ୍ରୀମନ୍ଦିର ନୀଳଚକ୍ର ଉପରେ ମହାପ୍ରଭୁଙ୍କର ଏକାଦଶୀ ଦିନ ମହାଦୀପ ଉଠିଲେ ଦେବୀ ମାଆଙ୍କୁ ଶୋଭାଯାତ୍ରାରେ ନିଆଯାଇ ମୂଷାନଦୀର ଦେବୀଘାଟରେ ବିସର୍ଜନ କରାଯାଏ।

ଭିଓ- ସେହିପରି ଜହ୍ନିଖାଇ ଗୋସାଣୀ ଶ୍ରୀକ୍ଷେତ୍ର ପୁରୀର ଦ୍ୱିତୀୟ ବୃହତ୍ତମ ଗୋସାଣୀ ଅଟନ୍ତି । ଏହାଙ୍କୁ ଗୋଶାଣୀ ମାନଙ୍କ ମଧ୍ୟରେ  'ମଝିଆ ଭଗିନୀ' ବୋଲି କୁହାଯାଏ ।ଶ୍ରୀକ୍ଷେତ୍ରେରେ ଥିବା ସାତ ସାହି ମଧ୍ୟରେ ସିଂହଦ୍ୱାର ସାମ୍ନା ପଟରେ ଥିବା ଦୋଳମଣ୍ଡପ ସାହିକୁ ଗଲାବେଳେ ପଡେ ଜହ୍ନିମୁଣ୍ଡିଆ ଛକ ।ଏହି ଛକରେ ଥିବା ଅଙ୍ଗିରା ଆଶ୍ରମ ନିକଟରେ  ଅଧିଷ୍ଠିତ ହୋଇଛନ୍ତି ମା ଜହ୍ନିଖାଇ ଗୋଶାଣୀ । ମା ପରମ ବୈଷ୍ଣବୀ ହୋଇଥିବାରୁ ସମ୍ପୂର୍ଣ୍ଣ ନିରାମିଷ ପ୍ରସାଦର ବ୍ୟବସ୍ଥା କରାଯାଇଥାଏ । ସାହିର ସଦସ୍ୟଙ୍କ ସମେତ ଅନ୍ୟ ଭକ୍ତଙ୍କ ପାଇଁ ହୋଇଥାଏ ପ୍ରସାଦ ସେବନ ବ୍ୟବସ୍ଥା। ୧୬ ଫୁଟ ଉଚ୍ଚତା ଏହି ମୂର୍ତ୍ତିର ଅପୂର୍ବ କାରିଗରୀ ଦେଖିଲେ ଆଖି ଝଲସି ଯାଏ । ୫୦୦ ବର୍ଷରୁ ଚାଲି ଆସୁଥିବା ପରମ୍ପରା ଅନୁଯାୟୀ ଏହି ମୂର୍ତ୍ତି ପ୍ରତିବର୍ଷ ଗୋଟିଏ ପରିବାରର ସଦସ୍ୟଙ୍କ ଦ୍ୱାରା ନିର୍ମାଣ କରାଯାଏ । ପ୍ରାକୃତିକ ରଙ୍ଗରେ ରଙ୍ଗାୟୀତ ହୁଏ ଏହି ଦିବ୍ୟ ମେଢ଼ ।ହିଙ୍ଗୁଳରୁ କଳାରଙ୍ଗ,ହରିତାଳରୁ ହଳଦୀ ରଙ୍ଗ ଓ ଶଙ୍ଖକୁ ଚୂର୍ଣ୍ଣ କରି ମାଆଙ୍କ ପ୍ରସାଧନ ପାଇଁ ପ୍ରସ୍ତୁତ ହୋଇଥାଏ ପ୍ରାକୃତିକ ରଙ୍ଗ ।ସେହିପରି ମାଆଙ୍କ ମୂର୍ତ୍ତିକୁ ଗୋଟିଏ ବର୍ଷ ସ୍ୱର୍ଣ୍ଣ ମେଢ଼ରେ ସଜାଗଲେ ପରବର୍ଷ ଟି ଚାନ୍ଦିର ମେଢ଼ ରେ ସଜ୍ଜିତ କରାଯାଏ । ସେହି ଅନୁଯାୟୀ ଚଳିତ ବର୍ଷ ସ୍ଵର୍ଣ ମେଢ଼ରେ ଶୋଭା ପାଇବେ ମାଆ ଜହ୍ନିଖାଇ । ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଦେବୀ ସଭା ନାମରେ ନାମିତ ଆସ୍ଥାନରେ ଅନ୍ୟ ଦେବାଦେବୀଙ୍କ ସହ ଏକତ୍ରିତ ହେବା ପରେ ଶେଷରେ ବିସର୍ଜନ ସ୍ଥାନକୁ ଯାଇଥାନ୍ତି ଏହି ଗୋଶାଣୀ ମୁର୍ତ୍ତି । ମା ମହିଷାମର୍ଦ୍ଦିନୀ ଏଠାରେ ପୂଜା ପାଉଥିବା ବେଳେ ଅଂନ୍ନଭୋଗ ହୁଏ ନାହିଁ । ମାଆଙ୍କ ପାଖରେ ଶୀତଳ ପ୍ରସାଦ ଯଥା ପୁରୀ,ବୁନ୍ଦିଆ,ଖଜା ,ଚୁଡା,ଖଇ, ମହନଭୋଗ,ଓ ସୋଲା ଆଦି ଭୋଗ ଲାଗିଥାଏ ।